ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଆଇନା ଏବଂ ସମ୍ଭବର ମିଳିତ ସହଯୋଗରେ ଆୟୋଜିତ ଜୈବିକ ପନିପରିବା ଓ ବିହନ ମେଳା କାର୍ଯ୍ୟକ୍ରମରେ ଆଇନା ସମ୍ପାଦିକା ସ୍ନେହା ମିଶ୍ର ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବିଡିଓ ଭାରତୀ ଦେବୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୈବିକ ଚାଷ ପାଇଁ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି କହିଥିଲେ। ଏଥିସହ ମହିଳା ଚାଷୀଙ୍କୁ ଅଧିକ ସୁବିଧା ସରକାର ଯୋଗାଇ ଦେଉଛନ୍ତି ବୋଲି ବିଡିଓ କହିଥିଲେ। ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ଜୈବିକ ଚାଷ କଲେ କୃଷି ଉତ୍ପାଦନ ବଢ଼ିବା ସହ ଚାଷୀମାନେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ ବୋଲି କହିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଆମ ଦେଶ ବିଜ୍ଞାନ ଓ ଅର୍ଥନୀତି କ୍ଷେତ୍ରରେ ବହୁ ଆଗକୁ ଯାଇଛି। କୃଷି ଉତ୍ପାଦନ ମଧ୍ୟ ବଢ଼ିଛି। କିନ୍ତୁ କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାର ଔଷଧ, ସାର ପ୍ରୟୋଗ ବୃଦ୍ଧି ଯୋଗୁ ତାହା ସ୍ବାସ୍ଥ୍ୟ ପାଇଁ ବିପଦ ହେଉଛି। ତେଣୁ ଜୈବିକ ସାର ମାଧ୍ୟମରେ ପାରମ୍ପରିକ କୃଷି ଯଥା ମାଣ୍ଡିଆ, ଧାନ, ମୁଗ, ବିରି, ସମେତ ବିଭିନ୍ନ ପନିପରିବା ଚାଷ କରିବା ଆବଶ୍ୟକତା ରହିଛି। ତାହାହେଲେ ଯାଇ ଆମେ ସମସ୍ତେ ସୁସ୍ଥ ରହିବା। ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ବିଧାୟକ ଉପସ୍ଥିତ ମହିଳା ଚାଷୀମାନଙ୍କୁ ଆହ୍ବାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ଭବ ସମ୍ପାଦିକା ପଦ୍ମଶ୍ରୀ ସାବରମତୀ, ସମାଜସେବୀ ଶୁଳପାଣି ଶତପଥୀ, ଗୋଲାପଡ଼ା ସରପଞ୍ଚ ସୁକାନ୍ତ କୁମାର ମଲ୍ଲିକ, ମାଧବ ବେହେରା, ସଂଗ୍ରାମ କୁମାର ସେନାପତି, ସରପଞ୍ଚ କେ.କେ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ