ଅଗ୍ନିବର୍ଷା ହେଉଥିବା ବେଳେ ମହେନ୍ଦ୍ରଗିରି ଠାରେ ଘନ କୁହୁଡିର ବିରଳ ଦୃଶ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ବର୍ତ୍ତମାନ ଉତ୍ତାପ ବିଶେଷ ଭାବେ ବୃଦ୍ଧି ପାଇଛି. ସକାଳ 10 ଘଣ୍ଟା ପରେ ଉତ୍ତାପ ବିଶେଷ ଭାବେ ବୃଦ୍ଧି ପାଉଥିବାରୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି. ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ଯୋଗୁଁ ଲୋକେ ବାହାରକୁ ବାହାରୁ ନାହାନ୍ତି. ହେଲେ ଗଜପତି ଜିଲ୍ଲାରେ ରହିଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ବର୍ତ୍ତମାନର ଖରାଦିନେରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି. ମହେନ୍ଦ୍ରଗିରି ଠାରେ ଗତ କିଛି ଦିନ ଧରି ମଧ୍ୟାହ୍ନ 12 ଘଣ୍ଟା ଠାରୁ ଗୋଟାଏ ବେଳେ ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ରହିବା କଥା ସେତେବେଳେ ସମଗ୍ର ମହେନ୍ଦ୍ରଗିରି ଶିଖରକୁ କୁହୁଡ଼ି ଘୋଡ଼ାଇ ରଖୁଥିବା ଦେଖାଯାଇଛି। ମହେନ୍ଦ୍ରଗିରିକୁ ଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକ ଏହି ଦୃଶ୍ୟ ଦେଖ୍ ଆଶ୍ଚର୍ଯ୍ୟ ହୋଇ ଚକିତ ହୋଇପଡ଼ିଛନ୍ତି। ପର୍ଯ୍ୟଟକଙ୍କ କହିବା ଅନୁଯାୟୀ, ଅଳ୍ପ ସମୟ ମଧ୍ୟରେ ମହେନ୍ଦ୍ରଗିରି ଠାରେ ପାଣିପାଗର ଏଭଳି ପରିବର୍ତ୍ତନ ଘଟୁଛି ଯାହା ଗୋଟିଏ ଦିନରେ ଛଅଟି ଋତୁର ଅନୁଭୂତି ଦେଉଛି I ପ୍ରବଳ ଖରା ପରେ ହଠାତ୍ ଏକ ଭିନ୍ନ ଦୁନିଆର ଅନୁଭବ କୁହୁଡ଼ି ଏବଂ ପରେ ପରେ ଶୀତଳ, ବର୍ଷା ପବନ ପର୍ଯ୍ୟଟକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିବା ପର୍ଯ୍ୟଟକମାନେ ମତବ୍ୟକ୍ତ କରିଛନ୍ତି। ମହେନ୍ଦ୍ରଗିରି ଶିଖରରେ ରହିଥିବା ମହେନ୍ଦ୍ର ଆଶ୍ରମର ମୁଖ୍ୟ ଲକ୍ଷ୍ମୀବାବା ଏନେଇ କହିଛନ୍ତିଯେ ସମୁଦ୍ର ପତ୍ତନ ଠାରୁ ମହେନ୍ଦ୍ରଗିରି ପ୍ରାୟ 5 ହଜାର ଫୁଟ ଉଚ୍ଚରେ ଅବସ୍ଥିତ. ତେଣୁ ବହୁ ସମୟରେ ମହେନ୍ଦ୍ରଗିରି ଠାରେ ପାଣିପାଗର ପରିବର୍ତ୍ତନ ଘଟିଥାଏ. ମେଘର ଘର ଭାବେ ଖ୍ୟାତି ଅର୍ଜନ କରିଥିବା ମହେନ୍ଦ୍ରଗିରି ଠାରେ ଏଭଳି ଭାବେ ଅନେକ ଥର ମଧ୍ୟାହ୍ନ ସମୟରେ ଘନ କୁହୁଡି ଦେଖା ଯିବା ସହ ପାଣିପାଗର ହଠାତ ପରିବର୍ତ୍ତନ ଘଟି ଥଣ୍ଡା ଅନୁଭୂତ ହେବା ସହ ବର୍ଷା ମଧ୍ୟ ହୋଇଥାଏ. ତେଣୁ ପ୍ରକୃତିର ଗନ୍ତାଘର ମହେନ୍ଦ୍ରଗିରି ଠାରେ ଏଭଳି ଘନ କୁହୁଡି ଦେଖାଯାଏ।


