ଭକ୍ତ ଭଗବାନ
ଦେଖ ଦେଖ ଆସୁଛନ୍ତି ମଦନମୋହନ
ରାଧିକା ଦୁତିକା ପାର୍ଶ୍ବେ ବଡ ଶୋଭାବନ।
ମଣିବିମାନେ ଆସନ୍ତି ଦାଣ୍ଡେ ଝୁଲି ଝୁଲି
ରାମକୃଷ୍ଣ ବସି ହସୁଛନ୍ତି ଖିଲି ଖିଲି ।
ବାଜୁଛି ବୀର କାହାଳୀ ଶୁଭେ ହୁଳି ହୁଳି
ବନ୍ଦାପନା କରୁଛନ୍ତି ଗୋପବାଳି ମିଳି ।
ରହି ରହି ଆସୁଛନ୍ତି ପଞ୍ଚମହାଦେବ
ଚନ୍ଦନ ଚକଡା ପରେ ଭେଟଭାଟ ହେବ ।
ରୂପା ପିଙ୍ଗଣରେ ଭରା ସୁବାସିତ ଜଳ
ଶ୍ରୀପଦ୍ମ ପାଦ ପାଖାଳି ଶ୍ରୀଅଙ୍ଗ ଶୀତଳ ।
ନରେନ୍ଦ୍ରରେ ନନ୍ଦା ଭଦ୍ରା ଚାପ ପରେ ଚଢି
ଜଳକ୍ରୀଡା ସାରି ଯିବେ ସ୍ବସ୍ଥାନେ ବାହୁଡି ।
ଦୋଳେ ଦୋଳଗୋବିନ୍ଦ ଚାପେ ମଧୁସୂଦନ
ରଥେ ବାମନ ଦର୍ଶନେ ନାହିଁ ପୁନର୍ଜନ୍ମ ।
ଆସ ଆସ ଚାଲି ଆସ ଉଉଁରୀକୁ ଭାଇ
ବାହାର ଚାପ ସରିଲେ ବର୍ଷେ ଥିବ ଚାହିଁ ।
ବାହାର ପରେ ଆରମ୍ଭ ଭିତର ଚନ୍ଦନ
ଶ୍ରୀଅଙ୍ଗ ହେବ ଶୀତଳ ବୋଳିଲେ ଚନ୍ଦନ।
ଚନ୍ଦନବୃକ୍ଷର ଗୁଣ କି କହିବା ଭାଇ
କୁରାଢୀ ମାରିଲେ ଚୋଟ ସୁଗନ୍ଧେ ବାସଇ ।
ନିଜେ କଷ୍ଟସହି ଦିଏ ସୁଗନ୍ଧ ବିତରି
ଏଣୁ ଚନ୍ଦନ ପ୍ରଲେପ ଶ୍ରୀଅଙ୍ଗରେ ଭରି ।
ଚନ୍ଦନର ସ୍ବଭାରେ ଭକ୍ତ ହେଲେ ପୂର୍ଣ୍ଣ
ଭକ୍ତ ଭଗବାନ ଭାବ ନୋହିବ ଅଭିନ୍ନ।
ଚାପ ଖେଳି ଖେଳି ଅଙ୍ଗେ ଚୁନ୍ଦନକୁ ବୋଳି
ଭକତଙ୍କୁ କୁହନ୍ତି ହୁଅ ଚନ୍ଦନ ଭଳି ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ


