ଜଗନ୍ନାଥ ସଂସ୍କୃତି ଓ କବୀର ଚଉରା

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ସମଗ୍ର ବିଶ୍ୱର ଏକ ଅନନ୍ୟ ଏବଂ ମହାନ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ଯାହା ମାନବିକତା ଏବଂ ଭାତୃଭାବର ମୂଳଦୁଆ ଉପରେ ପ୍ରତିଷ୍ଠିତ। ଏହି ସଂସ୍କୃତି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆପଣେଇ ନେଇଛି। ତେଣୁ ଏ ସଂସ୍କୃତିକୁ ସର୍ବତନ୍ତ୍ର ଓ ସ୍ଵତନ୍ତ୍ର ସଂସ୍କୃତି କୁହାଯାଏ। ଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି, ଏହାର ସମାନତା ଓ ଉଦାରତା। ଏଠାରେ କେହି ଛୋଟ ବା ବଡ ନୁହଁନ୍ତି ଏବଂ ମହାପ୍ରଭୁଙ୍କ ପାଖରେ ସଭିଏଁ ସମାନ। ସେ ରାଜାଙ୍କର ନାଥ, ସେ ପ୍ରଜାଙ୍କର ନାଥ ଏବଂ ସେ ବ୍ରାହ୍ମଣଙ୍କ ନାଥ ଓ ଚଣ୍ଡାଳର ନାଥ (ଅସ୍ପୃଶ୍ୟ) ତଥା ସେ ଏ ସମଗ୍ର ଜଗତର ନାଥ। ଏଣୁ ଆମ ଠାକୁରଙ୍କୁ ଜଗନ୍ନାଥ କୁହାଯାଏ। ଏହି ସଂସ୍କୃତିର ଗୋଟିଏ ହିଁ ଧର୍ମ ତାହା ହେଉଛି ମାନବବାଦ। ଯେ ଶିଖାଏ ମଣିଷ ଓ ମଣିଷ ମଧ୍ୟରେ କୌଣସି ଭେଦଭାବ ନାହିଁ । ସର୍ବଧର୍ମ ସମନ୍ୱୟର ବାର୍ତ୍ତାବହକ ଜଗନ୍ନାଥ ଧର୍ମ କୌଣସି ଗୋଟିଏ ଗୋଷ୍ଠୀ ବା ଧର୍ମ ମଧ୍ୟରେ ସୀମିତ ନୁହେଁ। ଏହା ବୌଦ୍ଧ ଧର୍ମ, ଜୈନ ଧର୍ମ, ଶିଖ ଧର୍ମ ଓ ଇସଲାମ ଧର୍ମ ସମୁହକୁ ନିଜମଧ୍ୟରେ ଆଶ୍ରା ଦେଇଛି। ଏହି ଧର୍ମମାନଙ୍କର ଧର୍ମ ଗୁରୁ ବା ଭକ୍ତମାନେ ଜଗନ୍ନାଥଙ୍କ ପାଖରେ ସେହି ପରମ ତତ୍ତ୍ୱକୁ ଅନୁଭବ କରିପାରିଛନ୍ତି। ସେହି ଅନୁଭବୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସନ୍ଥ କବୀର ଦାସ।
ସନ୍ଥ କବୀର ଦାସ ଏବଂ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ଆଧ୍ୟାତ୍ମିକ । ଭାରତୀୟ ଭକ୍ତି ସାହିତ୍ୟର ଇତିହାସରେ ଏହି ମିଳନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏଥିରେ କବୀର ଦାସ ଥିଲେ ଜଣେ ନିର୍ଗୁଣବାଦୀ ସନ୍ଥ, ଯିଏ ଜାତି, ଧର୍ମ ଏବଂ ବାହ୍ୟ ଆଡମ୍ବରର ଉର୍ଦ୍ଧ୍ୱରେ ରହି ମାନବିକତା ଓ ଏକେଶ୍ୱରବାଦର ପ୍ରଚାର କରିଥିଲେ । ଯଦିଓ କବୀର ମୂର୍ତ୍ତି ପୂଜାର ବିରୋଧୀ ଥିଲେ, କିନ୍ତୁ ଜଗନ୍ନାଥ କ୍ଷେତ୍ରର ମାହାତ୍ମ୍ୟ ତାଙ୍କୁ ପୁରୀକୁ ଆସିବା ପାଇଁ ବାଧ୍ୟ କରିଥିଲା। ତେଣୁ କବୀର ନିଜ ଦୋହାରେ କହିଛନ୍ତି:
କବୀର କୁତ୍ତା ରାମ କା, ମୁତିଆ ମେରା ନାଉଁ।
ଗଲୈ ରାମ କୀ ଜେୱଡ଼ୀ, ଜିତ ଖୈଞ୍ଚେ ତିତ ଜାଉଁ॥
ଅର୍ଥାତ୍ କବୀର କହନ୍ତି: “ମୁଁ ଶ୍ରୀରାମ (ପରମେଶ୍ୱର)ଙ୍କର ଜଣେ ବିଶ୍ୱସ୍ତ କୁକୁର, ମୋ ନାମ ହେଉଛି ‘ମୁତିଆ’ (ମୋତି) ଏବଂ ମୋ ଗଳାରେ ବନ୍ଧା ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭକ୍ତିର ରଶି (ଜେୱଡ଼ୀ) । ମୋତେ ସେ ଯେଉଁ ଆଡ଼କୁ ଟାଣି ନେବେ, ମୁଁ ସେଇ ଆଡ଼କୁ ହିଁ ଗମନ କରିବି। ଏଥିରୁ ପ୍ରମାଣିତ ହୁଏ ଯେ କବୀର ନିଯେ ଭଗବାନଙ୍କର ସମ୍ପୂର୍ଣ୍ଣ ସମର୍ପିତ ଭକ୍ତଥିଲେ। ତାଙ୍କର କୌଣସି ନିଜର ବୋଲି ଇଚ୍ଛା ନଥିଲା, ସେ କେବଳ ଈଶ୍ୱରଙ୍କ ଇଚ୍ଛାରେ ପରିଚାଳିତ ହେଉଥିଲେ।
ସନ୍ଥ କବୀର ଯେତେବେଳେ ଶ୍ରୀକ୍ଷେତ୍ର ଆସିଥିଲେ, ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବଙ୍କର ଶାସନ ଉତ୍କଳ ପ୍ରଦେଶରେ ଚାଲିଥିଲା। ସେ ଯୋ’ସମୟରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ, ସେହି ସମୟରେ ଜଗନ୍ନାଥଙ୍କ ଭିତରେ କୌଣସି ସୀମିତ ଦେବତାଙ୍କୁ ନୁହେଁ, ବରଂ ସାରା ବ୍ରହ୍ମାଣ୍ଡର ସ୍ୱରୂପକୁ ଦେଖିବାକୁ ପାଇଥିଲେ । ଲୋକ ଶ୍ରୁତି ଅନୁସାରେ ସେତେବେଳେ ସମୁଦ୍ର ତା’ର ପ୍ରବଳ ଢେଉ ଦ୍ଵାରା ବାରମ୍ବାର ଶ୍ରୀମନ୍ଦିରର ପ୍ରାଚୀର ଭାଙ୍ଗି ଦେଉଥାଏ। କାରଣ ତ୍ରେତୟା ଯୁଗରେ ଜଗନ୍ନାଥ ଶ୍ରୀରାମଙ୍କ ରୂପରେ ଅବତାର ଗ୍ରହଣ କରିଥିଲେ। ସେ ଲଙ୍କାକୁ ଯିବା ପାଇଁ ନିଜ ଧନୁ ବାଣ ଦ୍ଵାରା ସମୁଦ୍ରକୁ ଶୁଖାଇ ଦେବି ବୋଲି କହିଥିଲେ। ଫଳସ୍ୱରୂପ ସମୁଦ୍ର ଦେବ ଶ୍ରୀରାମଙ୍କ ସମସ୍ତ ସେନାକୁ ନିଜ ବକ୍ଷ ଦେଶରେ ଯିବାପାଇଁ ସମ୍ମତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ବାରମ୍ୱାର ଭାଙ୍ଗି ଚାଲିଥିଲେ। ତେଣୁ ମନ୍ଦିର ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ଭବପର ହେଉନଥିଲା। ଏହା ଦେଖି ଗଜପତି ଦୁଃଖିରେ ମ୍ରିୟମାଣ ହୋଇଯାଇଥିଲେ। କବୀର ଦାସ ଏହା ଜାଣିବା ପରେ ସମୁଦ୍ରକୁ ପ୍ରାର୍ଥନା କରିଥିଲେ, ତଥାପି ସମୁଦ୍ର ପୂର୍ବଭଳି ନିର୍ମାଣ କାର୍ଯ୍ୟରେ ବ୍ୟାଘାତ ଘଟାଇ ଚାଲିଲେ। ଏହାପରେ କବୀର ଦାସ ନିଜର ‘ଆଶାବାଡ଼ି’ ବା ‘କୁବଡ଼ି’କୁ ପୁରୀ ସ୍ୱର୍ଗଦ୍ୱାର ନିକଟସ୍ଥ ସମୁଦ୍ର ତଟରେ ପୋତି ଦେଇଥିଲେ ଏବଂ ସମୁଦ୍ରକୁ ଆଗକୁ ନଆସିବାକୁ ନିର୍ଦ୍ଦେଶ ଦେଇ ଧ୍ୟାନରେ ବସିଯାଇଥିଲେ। ସନ୍ଥଙ୍କ ଧ୍ୟାନ ଓ ଭକ୍ତିର ଶକ୍ତି ଆଗରେ ସମୁଦ୍ର ଶେଷରେ ହାର ମାନିଲେ ଏବଂ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସେହି ଦିନଠାରୁ ଆଉ ସେ କେବେ ମଧ୍ୟ ‘କୁବଡ଼ି’ର ଆଖ ପାଖକୁ ଅତିକ୍ରମ କଲେ ନାହିଁ। କବୀର ଯେଉଁ ସ୍ଥାନରେ ବାଡ଼ିକୁ ସ୍ଥାପନ କରିଥିଲେ, ସେଠାରେ ଏକ ପଥର ଚଉରା ନିର୍ମାଣ କରାଗଲା। ଯେଉଁଠାରେ ବସି ସେ ଧ୍ୟାନ କରୁଥିଲେ। କାଳକ୍ରମେ ସେହି ସ୍ଥାନକୁ ଲୋକେ କବୀର ଚଉରା ବା କବୀର ଘାଟ ବୋଲି କହିବାକୁ ଲାଗିଲେ। ଏହା ବର୍ତ୍ତମାନ ପୁରୀ ସ୍ୱର୍ଗଦ୍ୱାର ନିକଟରେ ଅବସ୍ଥିତ। ଏଠାରେ କବୀରଙ୍କ ପାଦୁକା ଏବଂ ସେ ବ୍ୟବହାର କରୁଥିବା ବାଡ଼ିର ପ୍ରତୀକ ସ୍ୱରୂପ କୁବଡ଼ି ସ୍ଥାପିତ କରାଯାଇଛି।
ଜଗନ୍ନାଥ ସଂସ୍କୃତିରେ କବୀର ଦାସ ଜଣେ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ସେ ପ୍ରଚାର କରୁଥିଲେ ଯେ ଜଗନ୍ନାଥଙ୍କଠାରେ କୌଣସି ଜାତିଭେଦ ହିଁ ନାହିଁ। କୁହାଯାଏ ଯେ, ସେ ଜଗନ୍ନାଥଙ୍କଠାରେ ‘ଆଲ୍ଲା’ଙ୍କୁ ଦେଖିଥିଲେ ଏବଂ ଜଗନ୍ନାଥ ସଂସ୍କୃତିର ସାଧାରଣ ଧାରାକୁ ସମର୍ଥନ କରିଥିଲେ। ସେ ଜାଣିଥିଲେ ଜଗନ୍ନାଥଙ୍କ ପାଖରେ କେହି ଉଚ୍ଚ ବା ନୀଚ ନୁହଁନ୍ତି। ତେଣୁ ସେ ଶିଖାଇଥିଲେ – “ଜାତି ପାତି ପୁଛେ ନହିଁ କୋଇ, ହରି କୋ ଭଜେ ସୋ ହରି କା ହୋଇ। ଭକ୍ତି ଭାବର ପରାକାଷ୍ଠା କବୀରଙ୍କ ପାଇଁ ଜଗନ୍ନାଥ କେବଳ ଏକ କାଠର ମୂର୍ତ୍ତି ନଥିଲେ, ସେ ଥିଲେ “ଘଟ ଘଟ ବାସୀ ପ୍ରଭୁ” । ସେ ଜଗନ୍ନାଥଙ୍କୁ ‘ରାମ’ ନାମରେ ସମ୍ବୋଧନ କରୁଥିଲେ । ତା’ଙ୍କ ମତରେ ଜଗନ୍ନାଥ ହେଉଛନ୍ତି ସେହି ପରମବ୍ରହ୍ମ ଯିଏ ଶୂନ୍ୟ ମଣ୍ଡଳରେ ବିରାଜମାନ । ତେଣୁ ସେ ତାଙ୍କ ଦୋହାରେ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି । କବୀର ବିଶ୍ୱାସ କରୁଥିଲେ ଯେ ଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟର ନୁହନ୍ତି, ସେ ହେଉଛନ୍ତି ସମଗ୍ର ମାନବଜାତିର ଠାକୁର।
ଖମ୍ବେଶ୍ୱରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


