ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ,(ବିନୋଦ ଚନ୍ଦ୍ର ପଲାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ସଭାପତିତ୍ବ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ମାଧ୍ୟମରେ ନାବାଳିକାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପିଲାମାନଙ୍କୁ ଥାନା ପରିସର ବୁଲାଇ ଦେଖାଯିବା ସହ ପୋଲିସର କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ କରାଯାଇଥିଲା। ଶ୍ରୀମତୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ପୋଲିସ ସବୁବେଳେ ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ, ତେଣୁ କୌଣସି ଅସୁବିଧା ହେଲେ ଭୟ ନକରି ସହାୟତା ପାଇଁ ଆଗେଇ ଆସିବା ଉଚିତ୍। ବିଶେଷକରି ବାଲ୍ୟ ବିବାହ ରୋକିବା, ନାବାଳିକାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରର ପ୍ରତିବାଦ କରିବା ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବା, ସାମ୍ପ୍ରତିକ ସମୟରେ ବଢ଼ୁଥିବା ସାଇବର ଅପରାଧ ଏବଂ ସୋସିଆଲ ମିଡିଆର ଅପବ୍ୟବହାରରୁ କିଭଳି ଦୂରେଇ ରହିବେ,ଅନଲାଇନ ହିଂସାରୁ ଦୂରେଇ ରହିବା, ଅନଲାଇନ ମାର୍କେଟିଂ ଠାରୁ ଆରମ୍ଭ କରି ଅର୍ଥ ଦେଣନେଣ ସମୟରେ ସତକର୍ତା ଅବଲମ୍ବନ କରିବା କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ପିଲାମାନେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଥାନା ପରିସର ବୁଲି ଦେଖିଥିଲେ । ଥାନାର କାର୍ଯ୍ୟଶୈଳୀ ସଂପର୍କରେ ପଚାରି ବୁଝିଥିଲେ। କାହାର ଅସୁବିଧା ହେଲେ,ନିଜର ସମସ୍ୟାକୁ ପୋଲିସ କୁ ନିର୍ଭୟରେ ଜଣାଇବାକୁ 112 ନମ୍ବରକୁ କିମ୍ବା ଆଇଆଇସି ନିଜର ବ୍ୟକ୍ତିଗତ ନମ୍ବରକୁ କଲ୍ କରିବାକୁ କହିଥିଲେ । ଏଥିରେ ଗଞ୍ଜାମ ଅତିରିକ୍ତ ଥାନା ଅଧିକାରୀ ଶୁଭ ଲକ୍ଷ୍ମୀ କଅଁର, ଡିପିସି ଦେବବର୍ତ୍ତ ମାହୁନ୍ତ, ଗଞ୍ଜାମ ସିଡିପିଓ ସଲୀଳା ପ୍ରଧାନ, ଏଏସଆଇ ସୁପ୍ରଭା ସାହୁ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟର ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ଏ ଏସ ଆଇ ସୁପ୍ରଭା ସାହୁ, ପ୍ରଦୀପ କୁମାର ସାହୁ ଏବଂ ଅଙ୍ଗନବାଡିକର୍ମୀ, କିଶୋରି ବାଳିକା, ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ.


