ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
କଟକ, (ଓ୍ବାଇଏନଏସ): ସାଲେପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୧୩୯ଟି ଅଭିଯୋଗ ହସ୍ତଗତ ହୋଇଥିଲା । ତନ୍ମଧ୍ୟରେ ୧୩୦ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୯ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୨୦ଟି ଅଭିଯୋଗର ତ୍ଵରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାଳରେ ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ୍ ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଭତ୍ତା,କୃଷି,ଶିକ୍ଷା ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟଗୁଡିକରେ ମଧ୍ୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୧୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଏହି ଅଭିଯୋଗ ଶୁଣାଣି ସକାଳ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ବିଭିନ୍ନ ପଞ୍ଚାଯତ କାର୍ଯ୍ଯାଳୟଠାରେ ମଧ୍ୟ ଏହି ଜନଶୁଣାଣି ସକାଳ ୭ ଘଟିକାଠାରେ ଅନୁଷ୍ଠିତ ହେବ ।


