ତୈଳ ସଙ୍କଟ ଗ୍ରାହକ ହନ୍ତସନ୍ତ
ଗୁଣୁପୁର,(ୱାଇଏନଏସ) :ମଧ୍ୟ ପ୍ରାଚ୍ୟର ଯୁଦ୍ଧର ପ୍ରଭାବ ରାୟଗଡା ଜିଲ୍ଲା ଗୁଣପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି । ରନ୍ଧନ ଗ୍ୟାସ ପରେ ଏବେ ସହରରେ ପେଟ୍ରୋଲ ଓ ଡିଜେଲର ସଙ୍କଟ ଦେଖା ଦେଇଛି । ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାର ତେଲର ଅଭାବ ନାହିଁ ବୋଲି କହୁଥିବା ବେଳେ ଏପଟେ ପେଟ୍ରୋଲ ଟାଙ୍କି ଖାଲି ହୋଇଯାଇଛି। ମାଲିକ ମାନେ କମ୍ପାନୀରେ ଟଙ୍କା ଜମା କରି ତେଲ ପାଇଁ ଅପେକ୍ଷା କରିଛନ୍ତି। ଆଜି ଗୁଣପୁର ସହରରେ ଥିବା ୫ ଗୋଟି ତେଲ ଟାଙ୍କିରୁ ୪ ଗୋଟି ତେଲ ଟାଙ୍କି ବନ୍ଦ ରହିଛି । ଫଳରେ ପେଟ୍ରୋଲ ଓ ଡିଜେଲ ପାଇଁ ଗ୍ରାହକଙ୍କୁ ନାହି ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି । ବର୍ତମାନ ଯୁଗରେ ବିନା ବାଇକରେ ଘରୁ ବାହାରିବା ମୁଷ୍କିଲ । ଏଭଳି ସ୍ଥିତିରେ ହଠାତ ପେଟ୍ରୋଲ ଓ ଡିଜେଲ ସଙ୍କଟ ଗାଡି ଚାଳକ ମାନଙ୍କୁ ଅସୁବିଧାରେ ପକାଇଛି । ଗାଡିରେ ତେଲ ଭରିବା ପାଇଁ ଲୋକଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଗୁଣପୁର ନାୟରା ବାଙ୍କରେ କେବଳ ଗୋଟିଏ ଦିନ ପାଇଁ ତେଲ ଗଚ୍ଛିତ ରହିଥିବା ପରିଚାଳକ କହୁଥିବାରୁ ବାଇକ ପିଛା ୧୦୦ -୨୦୦ ଟଙ୍କା ମଧ୍ୟରେ ତେଲ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ଏତିକି ତେଲରେ ବ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସମ୍ଭବ ନାହିଁ ବୋଲି ଗ୍ରାହକ ମାନେ ଅଭିଯୋଗ କରୁଛନ୍ତି । ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଯୋଗାଣ ହୋଇ ପାରୁନଥିବାରୁ ଏହି ଭଳି ସମସ୍ୟା ଦେଖା ଦେଇଛି । ତେଲ ଅଭାବ ନେଇ ଜଣେ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି ଯେ , ଯୁଦ୍ଧର ପ୍ରଭାବରେ ଡିପୋରୁ କମ ତେଲ ମିଳୁଛି । ତେଲ ଡିପୋକୁ ଯାଇ ଗାଡି ଫେରିବାରେ ବିଲମ୍ଭ ଘଟୁଥିବାରୁ ଟାଙ୍କିରେ ମହଜୁଦ ଥିବା ତେଲ ଖାଲି ହୋଇ ଯାଉଛି । ଯାହା ଦ୍ଵାରା ଚାଳକ ମାନେ ପେଟ୍ରୋଲ ,ଡିଜେଲ ପାଇଁ ଟାଙ୍କିକୁ ଯାଇ ନିରାଶ ହୋଇ ଫେରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷେ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାହକ ନିବେଦନ କରିଛନ୍ତି ।


