ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ସେବା ବସକୁ ପ୍ରବେଶ ମନା କାହିଁକି ?
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବସଷ୍ଟାଣ୍ଡକୁ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର ବସକୁ ସରକାରୀ ବସ୍ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରିବାକୁ କଟକଣା ଜାରି କରାଯାଇଛି. ସରକାରୀ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ସେବା ବସ ପ୍ରବେଶ କରିବା ପାଇଁ କିଏ ଓ କାହିଁକି କଟକଣା ଜାରି କରିଛି ତାହାର ସ୍ପଷ୍ଟ ସୂଚନା ନାହିଁ. ତଥାପି ଦୀର୍ଘ ମାସ ହେଲା ମୁଖ୍ୟମନ୍ତ୍ରୀ ବସସେବା ଯୋଜନାରେ ଥିବା ବସ ଗୁଡିକ ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ଭିତରକୁ ଆସୁନାହିଁ. ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ଯାତାୟତରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପୂର୍ବ ସରକାର ଅମଳରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଥିଲା। ଏହି ବସ ସେବା ଆରମ୍ଭ ହେବାପରେ ବିଶେଷ କରି ଗଜପତି ଜିଲ୍ଲାରେ ଏହା ସାଧାରଣ ଲୋକଙ୍କ ପାଇଁ ଅଧିକ ଗୁରୁତ୍ୱ ବହନ କରିଥିଲା। ଏହି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାହାଡିଆ ହୋଇଥିବା ବେଳେ ଅନେକ ସ୍ଥାନକୁ ବସ ସେବା ସାତ ସପନ ପାଲଟିଥିଲା। ଯାହାଫଳରେ ସ୍ଥାନୀୟ ଲୋକେ ବାଧ୍ୟହୋଇ କମାଣ୍ଡର, ଜିପ, ଅଟୋ ଏବଂ ଅନ୍ୟ କିଛି ଗାଡିର ସୁବିଧା ନେଇ ଅଧିକ ଖର୍ଚ୍ଚାନ୍ତ ହୋଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ପାରଳାଖେମୁଣ୍ଡି କିମ୍ବା ନିଜ ବ୍ଳକ ହେଡକ୍ବାଟରରେ ପହଞ୍ଚୁଥିଲେ। ଏହି ଲକ୍ଷ୍ମୀବସ ସେବା ଆରମ୍ଭ ହେବାପରେ ଜିଲ୍ଲାର ଅଧିକାଂଶ ଲୋକେ ଏହି ବସ ଚଳାଚଳର ସୁବିଧା ଯୋଗୁଁ ଜିଲ୍ଲା ମହକୁମାରୁ ନିଜ ନିଜ ଗ୍ରାମକୁ ସୁବିଧାରେ ପହଞ୍ଚିଲେ. ପରେ ଗତ ନିର୍ବାଚନରେ ବିଜେଡି ସରକାରର ପରାଜୟ ପରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କଲେ. ଏହାପରେ ସେହି ଲକ୍ଷ୍ମୀ ବସ ନାମ କରଣ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ କରାଯାଇଥିଲା। ନୂତନ ସରକାରଙ୍କ ଏହି ବସସେବାର ନାମ ପରିବର୍ତ୍ତନ ପରେ କିଛି ନିୟମରେ ପରିବର୍ତ୍ତନ ହୋଇଥିବା କୁହାଯାଇ ଗଜପତି ଜିଲ୍ଲାରେ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ ବ୍ଲକରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆସିବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ବ୍ଲକରୁ ସଦର ମହକୁମାକୁ ବସସେବା କିଛି ଦିନ ବନ୍ଦ ରହିବା ପରେ ଲୋକେ ପୁଣିଥରେ ଅଧିକା ଟଙ୍କା ଦେଇ ଅନ୍ୟତ୍ର ଗାଡି ବ୍ୟବସ୍ଥାରେ ଆସିବାକୁ ଲାଗିଲେ। ଏହା ସମ୍ପର୍କରେ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଦାୟିତ୍ୱରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଓଏସଆରଟିସି ଡିଟିଏମଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ବସସେବା ସ୍ୱାଭାବିକ ହେଲା। ପୂର୍ବରୁ ରହିଥିବା ଛୁଆଁ ଅଛୁଆଁ ନୀତି ଭଳି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସକୁ ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ପ୍ରବେଶ ମନା କରାଯାଇଛି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ହେଉଛି ବାସ୍ତବ ସ୍ଥିତି ପାରଳାଖେମୁଣ୍ଡି ସଦର ମହକୁମାରେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ପାରଳାଖେମୁଣ୍ଡି ସହରକୁ ଆସୁଥିବା ମୁଖ୍ୟମନ୍ତ୍ରୀ ବସକୁ ବସଷ୍ଟାଣ୍ଡା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳୁନଥିବା ବେଳେ ଏହି ବସ ଗୁଡିକ ସ୍ଥାନୀୟ ଅଟଳ ପାର୍କ କିମ୍ବା ସତ୍ୟନାରାୟଣ ରାଜୁଗୁରୁଙ୍କ ପ୍ରତିମୂର୍ତ୍ତି ପାଖରେ ରଖି ବିଶ୍ରାମ ନେବା ସହ ସେହିଠାରୁ ଯାତ୍ରୀ ମାନଙ୍କୁ ନେବାପାଇଁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ଲୋକଙ୍କୁ ସୁଲଭ ଦରରେ ଯାତ୍ରା କରିବା ପାଇଁ ଲୋକେ ଆଗ୍ରହ ଥିବା ବେଳେ ଅନ୍ୟପଟେ ଏହି ବସକୁ ଜିଲ୍ଲା ମୁଖ୍ୟାଳୟର ବସଷ୍ଟାଣ୍ଡ ବାସନ୍ଦ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ. ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଘଟଣା ନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି ଜଣାଇଛନ୍ତି।


