ଅବ୍ୟବସ୍ଥାରେ ଗୁରାଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ହାଇସ୍କୁଲର ଖେଳ ପଡିଆ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଗୁରାଣ୍ଡି ଠାରେ ଥିବା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥା ମଧ୍ୟ୍ୟରେ ଗତି କରୁଛି. ଏଠାକାର ଖେଳପଡିଆ ତଥା ମିନି ଷ୍ଟାଡିୟମ ସଞ୍ଜ ନଇଁଲେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟୁଥିବା ଅଭିଯୋଗ ହେଉଛି। ପଡିଆରେ ସକାଳ ଓ ଦିନରେ ଖେଳକୁଦ ହେଉଥିବା ବେଳେ ସଞ୍ଜ ନଇଁଲେ ମଦୁଆଙ୍କ ଆସର ଜମୁଛି । ମଦୁଆ ଏପରି ଆସର ଜମାଇବା ପରେ ଖାଲି ମଦ ବୋତଲ ସେହି ସ୍ଥାନରେ ହିଁ ପକାଉଛନ୍ତି । ମଦ ସହ ଷ୍ଟାଟର ପାଇଁ ଆଣୁଥିବା ମାଛ ମାଂସ ଆଦିର ହାଡ଼ ଓ କଣ୍ଟା ଆଦି ଫୋପାଡୁଛନ୍ତି । ସକାଳ ଓ ଦିନରେ ଖେଳକୁଦ କରୁଥିବା ବ୍ୟକ୍ତିବିଶେଷଙ୍କ ଗୋଡ ହାତରେ ମଦ ବୋତଲ ଓ ଆମିଷର କଣ୍ଟା ଓ ହାଡ଼ ଲାଗି ଆହତ ହେଉଛନ୍ତି। ଏହି ଖେଳପଡିଆ ତଥା ମିନି ଷ୍ଟାଡିୟମ ପରିସରରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଠ ଛାତ୍ରାବାସ ରହିଛି। ପ୍ରତିଦିନ ସକାଳେ ବରିଷ୍ଠ ନାଗରିକ ଏଠାରେ ପଦଚାରଣା କରିବାକୁ ଆସିଥାଆନ୍ତି। କିନ୍ତୁ ଖେଳପଡିଆର ଠିକ୍ ଭାବରେ ରକ୍ଷଣାବେକ୍ଷଣ ହେଉନାହିଁ । ପ୍ରତିଦିନ ରାତିରେ ଶହ ଶହ ମଦ ବୋତଲ ଓ ପଲିଥୁନ୍ ପଡ଼ିଆରେ ପଡୁଛି। କେହି ଏହାର ବିରୋଧ କରୁନାହାନ୍ତି। ଏହି ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ସିସିଟିଭି କ୍ୟାମେରା ଲଗାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ଏହି ଅଞ୍ଚଳର ସମାଜସେବୀ ସଞ୍ଜୟ ରାଉତ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ଜଣାଇଛନ୍ତି ।


