ମାଙ୍କଡ ଓ ଷଣ୍ଢଙ୍କ ଯୋଗୁଁ ଫସଲ କ୍ଷତି : ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ କୁରୁଜଙ୍ଗା ପଞ୍ଚାତର ବଡମଙ୍ଗରାଜପୁର, କୁରୁଜଙ୍ଗା, ଆମ୍ବୁରା, ମହେଶପୁର ଓ ନୁଆଗାଁ ସମେତ କୁଶିଆପାଳ ଗ୍ରାମପଞ୍ଚାତରେ ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡମାନଙ୍କ ଉତ୍ପାତ ଦିନକୁ ଦିନ ଅଧିକ ହେଲାଣି। ଫଳରେ ବିଲରେ ମୁଗ, ବିରି, ନଳିତା ଓ ପନିପରିବା ଫସଲ ନଷ୍ଟ ହେଉଛି। ବାଡି ବଗିଚାରେ ଆମ୍ବ, ପଣସ, ଅମୃତଭଣ୍ଡା ଓ ପିଜୁଳି ପ୍ରଭୃତି ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଚାଷୀ ଆଉ ଚାଷ କରିବାକୁ ରାଜି ହେଉନାହାନ୍ତି। ଫସଲ ନହେବାରୁ ଦର ବୃଦ୍ଧି ଘଟୁଛି। ଗ୍ରାମାଞ୍ଚଳରେ ଲୋକମାନେ ନିଜ ବାଡିରେ ପନିପରିବା କରି ତାକୁ ବିକ୍ରୀକରି ଦୁଇପଇସା ରୋଜଗାର କରିବା ସହ ନିଜେ ମଧ୍ୟ ଖାଇଥାନ୍ତି। ଏହାସହ ଚାଷକାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଷଣ୍ଢ ଓ ମାଙ୍କଡମାନଙ୍କ ଉତ୍ପାତ ଯୋଗୁଁ ଚାଷ ଓ ଫସଲ ଉଭୟ ନଷ୍ଟ ହେଉଛି। ଚାଷୀ ବାରମ୍ବାର କ୍ଷତି ସହୁଛି। ଏହି ଅଞ୍ଚଳରେ ଶହ ଶହ ମାଙ୍କଡ ରହି ଫସଲ ନଷ୍ଟ କରିବା ସହ ରାସ୍ତା ଅବରୋଧ କରି ଯାତାୟତରେ ବାଧା ଉପୁଜାଉଛନ୍ତି। ଏହାବ୍ୟତିତ ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ଖାଇଦେବା ସହ କାମୁଡାକାମୁଡି କରୁଛନ୍ତି। ଏଅଞ୍ଚଳରେ ମାଙ୍କଡଙ୍କ ଆକ୍ରମଣରେ ବହୁ ଲୋକ କ୍ଷତାକ୍ତ ହେବା ସହ ଦୁଇଜଣ ମୃତ୍ୟୁବରଣ କରିସାରିଲେଣିି। ଅଞ୍ଚଳର ଗୋବରୀ ନଦୀ ପଠା ଜମିରେ ନଳିତା, ଧାନ, ମୁଗ, ବିରି, ଆଳୁ, ବାଇଗଣ, ଟମାଟୋ ଭଳି ଫସଲରେ ଶସ୍ୟଶ୍ୟାମଳା ହେଉଥିଲା। କିନ୍ତୁ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ସେହି ଜମି ଆଜି ବେଣା ଜଙ୍ଗଲରେ ପରିଣତ ହୋଇଛି। ତେଣୁ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଗୋଲକ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ