ଜୁନ୍ ୭ରେ ଓସିଏସ୍ ପ୍ରିଲିମ୍ନାରୀ
କଟକ, (ଓ୍ବାଇଏନଏସ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି ) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍)-୨୦୨୬ର ପ୍ରାଥମିକ (ପ୍ରିଲିମ୍ନାରୀ) ପରୀକ୍ଷା ଆସନ୍ତା ଜୁନ୍ ୭ତାରିଖରେ ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ(ସିଟିଂ)ରେ ପ୍ରାର୍ଥୀମାନେ ପରୀକ୍ଷା ଦେବେ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପ୍ରଥମ ସିଟିଂରେ ଜେନେରାଲ୍ ଷ୍ଟଡିଜ ପେପର୍- ୧ ଓ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍- ୨ ପରୀକ୍ଷା ହେବ । ପେପର୍-୧ ଶହେ ପ୍ରଶ୍ନ ବିଶିଷ୍ଟ ହୋଇଥିବାବେଳେ ପେପର୍-୨ରେ ୮୦ଟି ପ୍ରଶ୍ନ ରହିଛି । ରାଜ୍ୟର ୬ଟି ଜୋନ ଯଥା କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ପ୍ରାର୍ଥୀମାନେ ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇପାରିବେ ବୋଲି ଓପିଏସ୍ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।


