ବିଭିନ୍ନ ଦାବିନେଇ କଳାକାରଙ୍କ ଧାରଣା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ବିଭିନ୍ନ ଦାବିନେଇ ଗତ ୧୫ରୁ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ କଳା ସଂସ୍କୃତି ସଂଘ (ବିକେଏସଏସ)କୁ ୨୦୧୧ରୁ ଆସିଥିବା ସରକାରୀ ଅନୁଦାନ ସହ କଳାକାର ନାମ ପଞ୍ଜୀକରଣ ବାବଦରେ ଆଦାୟ ଅର୍ଥ ହେରଫେରର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ କଳାକାରମାନେ ଅଭିଯୋଗ କରିଥିଲେ। ଏପରିକି ଫାଇଲ,ବ୍ୟାଙ୍କ ପାସ୍ବହି, କ୍ୟାଶ୍ବହି, ଆସିଥିବା ଏବଂ ଖର୍ଚ୍ଚ ହୋଇଥିବା ଅନୁଦାନର ନଥିପତ୍ର, ରେଜୁଲେଶନ ରେଜିଷ୍ଟର ପ୍ରଭୃତି ଯାଞ୍ଚ ସହ ଏହାର ତଦନ୍ତ ପାଇଁ ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏଥିସହ ଅନୁଦାନ ଅନିୟମିତତା ଏବଂ ହେରଫେରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ମଧ୍ୟ କରିଥିଲେ। ଆର ଟି ଆଇ ରେ ମିଳିଥିବା ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ଦେଇ ନଥିବାରୁ କଳାକାରମାନେ ଧାରଣାରେ ବସି ରହିଥିଲେ। ଏପରିକି ଦାବି ପୂରଣ ନହେଲେ ଆସନ୍ତା ମେ’ ୨୦ରୁ ଆମରଣ ଅନଶନରେ ବସିବେ ବୋଲି କଳାକାରମାନେ ଚେତାବନୀ ଦେଇଥିଲେ। ପାଲା ପରିବେଷଣ ମାଧ୍ୟମରେ ସେମାନଙ୍କ ଦାବି ଗୁଡିକୁ ପୂରଣ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ଏ ସମ୍ପର୍କରେ ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି ଯେ କଳାକାରମାନେ ଆଣିଥିବା ଦୁର୍ନୀତି ଅଭିଯୋଗ ମୋ’ ସମୟରେ ନୁହେଁ ଏବଂ ସେ ସମୟର କୌଣସି ରେକର୍ଡ ନାହିଁ। ଅପରପକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ବାତୀ ସିଂ କହିଛନ୍ତି ଯେ, ବ୍ଲକ କଳା ସଂସ୍କୃତି ସଂଘ ଗତ ୨୨ ଅଗଷ୍ଟ ୨୦୧୧ ରେ ଆରମ୍ଭ ହୋଇଥିବା ବେଳେ ସଂଘର କୌଣସି କ୍ୟାଶ୍ବହି କିମ୍ବା ବ୍ୟାଙ୍କ ପାସ୍ବହି ସେତେବେଳେ ନାହିଁ। ଆଜି ଧାରଣା ସ୍ଥଳକୁ ବିଡ଼ିଓ ରଞ୍ଜନ କୁମାର ପରିଡା ଯାଇ ସେମାନଙ୍କ ସହ ଆଲୋଚନା କରି ସେମାନେ ମାଗିଥିବା ତଥ୍ୟ ସମ୍ପୁର୍ଣ୍ଣ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣା ଯାଇଛି। ଏହି ଧାରଣାରେ ଦିବାକର ବାରିକ, ଅଧିକାରୀ ନାୟକ, ବାବାଜୀ ଚରଣ ଜେନା, ରମେଶ ଚନ୍ଦ୍ର ବାରିକ, ତପୋଧାନ ଆୟଚ, ହଟକେଶ୍ୱର ଜେନା, ଅର୍ଜୁନ ସେଠୀ, ଚିନ୍ତାମଣି ବାରିକ, ରୋହିତ କୁମାର ପୃଷ୍ଟି, ନିରଞ୍ଜନ ଲେଙ୍କା, ବିନୋଦ ବେହେରା, ନଟବର ବେହେରା, କାର୍ତ୍ତିକେଶ୍ୱର ବେହେରା, ସନାତନ ଜେନାଙ୍କ ସମେତ ଅନେକ ସଦସ୍ୟ ସାମିଲ ହୋଇଥିଲେ।


