ବାଇକ୍ ଧକ୍କାରେ ଦମ୍ପତି ଗୁରୁତର ଘଟଣା: ଚିକିତ୍ସାଧିନ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ନିଳୋକ ଗ୍ରାମର ଦମ୍ପତି ନିରାକର ପଣ୍ଡା(୫୫) ଓ ତାଙ୍କ ପତ୍ନୀ ଉଷାରାଣୀ ପଣ୍ଡା(୫୦) ଗତ ରବିବାର ଅପରାହ୍ନରେ ବାଇକ ଧକ୍କାରେ ଗୁରୁତର ଆହତ ହୋଇ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ବୁଧବାର ଅପରାହ୍ନରେ ସ୍ୱାମୀ ନିରାକର(୫୫)ଙ୍କର ମୃତ୍ୟୁ ଘଟିଛି । । ଗତ ରବିବାର ଅପରାହ୍ନରେ ନିରାକର ନିଜ ପତ୍ନୀକୁ ସାଙ୍ଗରେ ଧରି ଏକ ସ୍କୁଟି ଯୋଗେ ନିଜ ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ୧୬ନଂ.ଜାତୀୟ ରାଜପଥର ପାଳଦାବାଙ୍କ ଛକ ନିକଟରେ ପଛରୁ ଏକ ବାଇକ ତାଙ୍କୁ ଧକ୍କା ଦେବାରୁ ଦୁର୍ଘଟଣାର ଶୀକାର ହୋଇ ଉଭୟ ଦମ୍ପତି ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଶେଷରେ କଟକସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ନିରାକରଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ଗତ ୨୦ ବର୍ଷ ହେବ ନିରାକାର ବାରିକପୁର ଠାରେ ଜାଗା କିଣି ଘର କରି ପରିବାର ସହିତ ରହିଆସୁଥିଲେ । ସେ ୧୯୯୧ ମସିହାରେ ଆନନ୍ଦପୁର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଗାଡି ବେପାର ଆରମ୍ଭ କରିଥିଲେ । ପ୍ରଥମେ ଗୋଟିଏ ଟ୍ରେକର ଓ ପରେ ଗୋଟିଏ ଟ୍ରକ କିଣି ବେପାର କରି ଆସୁଥିଲେ । ପରବର୍ତ୍ତୀ ଅବସ୍ଥାରେ ବସ ଚାଳକ ଭାବେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ତାଙ୍କ ମୃତ୍ୟୁରେ ପତ୍ନୀ, ଏକମାତ୍ର ଝିଅ ଓ ଏକମାତ୍ର ପୁଅଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେ ଜଣେ ମିଷ୍ଠଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ନିଳୋକ, ବାରିକପୁର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


