ଆଜି ଅନ୍ତର୍ଜାତୀୟ ‘ଚା’ ଦିବସ

ଆସିକା(ୱାଇଏନ୍‍ଏସ୍‍): ବିଶ୍ୱବ୍ୟାପୀ ଚା’ ପିଇବାର ପରମ୍ପରା, ସାଂସ୍କୃତିକ ମହତ୍ୱ ଓ ଏହାର ଭୂମିକାକୁ ସ୍ୱୀକୃତି ଦେବା ପାଇଁ ପ୍ରତ୍ୟେକ ବର୍ଷ ମେ ମାସ ୨୧ ତାରିଖରେ ପାଳନ କରାଯାଇଥାଏ । ଅନ୍ତର୍ଜାତୀୟ ଚା’ ଦିବସ । ଧନୀ ହୁଅନ୍ତୁ କି ସାଧାରଣ ବର୍ଗ ସଭିଙ୍କ ପ୍ରାୟ ଆଦର ପାଲଟିବାରେ ଲାଗିଛି ଚା । ଯଦି ମନ ଭଲ ନାହିଁ କିମ୍ବା ମୁଣ୍ଡ ବିନ୍ଧୁଛି ଅବା କିଛି ଖୁସି ଖବର ମିଳୁଛି ତେବେ ଆଗ ପାଟିରୁ ବାହାରୁଛି ଚାଲ ଚା ଟିକେ ପିଇଦେବା । ବିଶେଷକରି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଯୁବପିଢୀଙ୍କ ବିଗତ କିଛି ବର୍ଷ ହେଲା ପ୍ରଥମ ପସନ୍ଦ ପାଲଟିଛି ଚା । ସେଥିପାଇଁ ସହରର ଗଳିକନ୍ଦିରେ ଖୋଲିବାରେ ଲାଗିଛି ଅନେକ ଚା ଷ୍ଟଲ୍‍ । ଖାଲି ସେତିକି ନୁହେଁ ଯୁବପିଢୀକୁ ଚା ପ୍ରତି ଆକର୍ଷଣ କରିବା ପାଇଁ ବିଭିନ୍ନ ଫ୍ଲେଭର୍‍ ଓ ସ୍ୱାଦର ଚା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ବିକ୍ରୀ କରାଯାଉଥିବା ଦେଖିବାକୁ ମିଳୁଛି । ରାତି ପାହିଲେ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ଚା ଦୋକାନରେ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ଚା ବ୍ୟବସାୟୀ ସୁସ୍ୱାଦୁ ଚା ବିକ୍ରୀ କରି ବେଶ୍‍ ଭଲ ରୋଜଗାର କରି ହସ ଖୁସିରେ ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଚା କହିଲେ ଆମେ ଦୁଇ ପ୍ରକାର ଚା କୁ ବୁଝୁଥାଉ । ଗୋଟିଏ କ୍ଷୀର ମିଶା ହେଉଥିଲା ବେଳେ ଅନ୍ୟଟି ନାଲି ଚା । ଆସିକା ଏମିତି ଏକ ସହର ଯେଉଁଠି ଚା ଷ୍ଟଲ୍‍ଗୁଡିକରେ ପ୍ରତ୍ୟୁଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗ୍ରାହକଙ୍କ ଗହଳି ଲାଗି ରହିଥାଏ । ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ଛକବଜାର ଯାଏଁ ଯେଉଁଠି ଆଖି ବୁଲାଇବେ ଦେଖିବେ ଚା ଦୋକାନ । ମାତ୍ର ୫ ଟଙ୍କାରେ କପେ ଚା ବେପାର ପଛରେ ଏକ ବିଶାଳ ବ୍ୟବସାୟ ଜଡିତ ଥିବା ଆକଳନ କରାଯାଉଛି । କର୍ମକ୍ଳାନ୍ତ ଜୀବନରେ କପେ ଚା ଆଣିଥାଏ ତାଜାପଣ । ସକାଳୁ ନିଦରୁ ଉଠିହେଉ ଅବା ସନ୍ଧ୍ୟା ଗଡିବା କ୍ଷଣି ଚା ଟିକିଏ ପାଟିରେ ବାଜିଲେ ପ୍ରସନ୍ନତା ଆସିଥାଏ । ଚା ବିନା ସକାଳ କିମ୍ବା ସନ୍ଧ୍ୟା ଯେମିତି ଅଧୁରା ହୋଇଥାଏ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଲୋକଙ୍କର ଜୀବନ ସହ ଅଙ୍ଗାଙ୍ଗି ଭାବେ ଯୋଡି ହୋଇଯାଇଛି ଚା । କପେ ଚା ରୁ ଅନେକ ଲୋକ ନିଜର ଦୈନନ୍ଦିନ ଜୀବନ ଆରମ୍ଭ କରିଥାନ୍ତି । ଗାଁ ହେଉ ଅବା ସହର, ଛକ ବଜାର ଦୋକାନ ହେଉ ବା ରେଷ୍ଟୁରାଣ୍ଟ ସବୁଠି ସବୁସ୍ଥାନରେ ଚା ର ଆଦର ପ୍ରାୟତଃ ଦେଖିବାକୁ ମିଳୁଛି । ଛୋଟ ଚା କପ୍‍ଟି ଯେପରି ବିଭିନ୍ନ ସମୟରେ ସବୁ ସମସ୍ୟାର ସମାଧାନ କରିଥାଏ । ଅନେକ ଚାପରୁ ଆରାମ୍‍ ଦେବା ଠାରୁ ଆରମ୍ଭ କରି ନିଜର ମିଠା ସ୍ମୃତି ଏବଂ ଦୁଃଖଭରା କାହାଣୀକୁ ବାଣ୍ଟିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କପେ ଚା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଯୁବପିଢୀଙ୍କ ସକାଳ ଓ ସନ୍ଧ୍ୟାରେ ଚା ପିଇବା ଏକ ପ୍ରକାର ନିଶାରେ ପରିଣତ ହୋଇଯାଇଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ