କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା
ହାଟଡିହି (ଓ୍ବାଇଏନଏସ): କଂଗ୍ରେସ ପକ୍ଷରୁ ବିଜେପି ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ହାଟଡିହି ଠାରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନାଙ୍କ ନିର୍ଦେଶରେ ମହିଳା କଂଗ୍ରେସ ନେତ୍ରୀ ଡ଼. ସସ୍ମିତା ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ହାଟଡିହି ବ୍ଲକ ଛକ ଠାରୁ ବାହାରି ଏକ ଶୋଭାଯାତ୍ରାରେ ଛେନାପଦି ଛକ ପର୍ଯ୍ୟନ୍ତ ଯାଇଥିଲେ। ବିଶେଷକରି ଭାରତୀୟ ଜନତା ପାର୍ଟି ସରକାରଙ୍କ ମହିଳା ବିରୋଧୀ ନୀତି ଓ ୨୦୨୩ ମସିହାରେ ପାରିତ ହୋଇଥିବା “ନାରୀ ଶକ୍ତି ବନ୍ଦନ ଅଧିନିୟମ” କୁ କାର୍ଯ୍ୟକାରୀ କରିବାରେ ବିଜେପି ହୀନ ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଲୋକ ମାନଙ୍କୁ ଭୁଆଁ ବୁଲାଇବା ପାଇଁ କଂଗ୍ରେସ ବିରୁଦ୍ଧରେ ବିଜେପି ଅପପ୍ରଚାର କରୁଥିବାଡ଼ ସସ୍ମିତା ଜେନା ଅଭିଯୋଗ କରିଥିଲେ। ଏହି ମଶାଲ ଶୋଭାଯାତ୍ରାରେ ୩୧ଟି ଯାକ ପଞ୍ଚାୟତରୁ ମହିଳା ମାନେ ଯୋଗଦେଇ ଥିବାବେଳେ ବ୍ଲକ କଂଗ୍ରେସ ସଭାପତି ରମେଶ ବାରିକ, ହାଟଡିହି ବ୍ଲକ ଅନୁସୂଚିତ ଜାତି ସଭାପତି ପ୍ରବୀନ ଜେନା, ଆନନ୍ଦପୁର ମୁନିସିପାଲିଟି ସଭାପତି ହାଡିବନ୍ଧୁ ଖୁଣ୍ଟିଆ, ପନ୍ଦାଡୋ ଗ୍ରାମପଞ୍ଚାୟତ ସଭାପତି ସୁଶାନ୍ତ ଜେନା, ଅକରୁଆ ଗ୍ରାମପଞ୍ଚାୟତ ସଭାପତି ଦିଲୀପ ଜେନା, ଅମ୍ଲାନ ଜେନା, ବୁଲୁ ରାଉତ, କିସାନ ସାହୁଙ୍କ ସମେତ ଅନେକ କଂଗ୍ରେସ କର୍ମକର୍ତ୍ତା ସାମିଲ ଥିଲେ।


