ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ସ୍ବାଧୀନତା ସଂଗ୍ରାମ ରେ ଲବଣ ସତ୍ୟାଗ୍ରହ ଏକ ପ୍ରମୁଖ ଘଟଣାବଳୀ ।ଏହା ସ୍ବାଧୀନତା ସଂଗ୍ରାମ କୁ ଅଧିକ ଋଦ୍ଧିମନ୍ତ କରିବା ସହ ଏକ ଜନ ଆନ୍ଦୋଳନ ରେ ପରିଣତ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ କାକଟପୁର ବିଧାୟକ ତୂଷାରକାନ୍ତି ବେହେରା, ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହୀଦ ସ୍ମୃତି ପୀଠ କୁହୁଡି ଠାରେ ୯୬ତମ ରାଜ୍ୟ ସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଥିଲା ।ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମତି ସମିତି କାକଟପୁର ଅସ୍ତରଙ୍ଗ ପକ୍ଷରୁ ଏହା ପାଳିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ବେହେରା ମହାତ୍ମାଗାନ୍ଧୀ ଙ୍କ ଦାଣ୍ଡିଯାତ୍ରାରେ ଅନୁପ୍ରାଣୀତ ହୋଇ ୧୯୩୦ ମସିହା ଆଜିର ଦିବସରେ ଅସ୍ତରଙ୍ଗ ବ୍ଲକ କୁହୁଡି ଠାରେ ସଂଗ୍ରାମୀ ନୀଳକଣ୍ଠ ଦାସ, ଜଗନ୍ନାଥ ରଥ,ଗୋବିନ୍ଦ ଦାସ ପ୍ରମୁଖଙ୍କ ନେତୃତ୍ୱରେ ସ୍ବାଧୀନତା ସଂଗ୍ରାମ କୁ ଅଧିକ ତେଜୋଦିପ୍ତ କରିଥିଲା ବୋଲି କହିବା ସହ ଯୁବ ପିଢ଼ି ଏହି ଐତିହ୍ୟ କୁ ଆଗକୁ ନେବେ ବୋଲି ଆଶା କରିଥିଲେ । ମୁଖ୍ୟ ବକ୍ତା ଭାବେ ଗାନ୍ଧୀ ଦର୍ଶନ ବିଚାରକ ତଥା ସୁ-ସାହିତ୍ୟିକ ଦାସ ବେନହୁର ଓ ପ୍ରଗତିବାଦୀ ସମ୍ବାଦପତ୍ରର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀ ମୂଲ୍ୟବୋଧ ର ଆଧାର,ଯଦି ଆମେ ଶାନ୍ତି ଚାହିଁବା ଆମେ ଗାନ୍ଧୀ କୁ ଦେଖିବା ଓ ବିଶ୍ବ ର ସମସ୍ତ ଦେଶ ପାଇଁ ଏକ ଶ୍ରେଷ୍ଠ ପରିଚୟ ବୋଲି କହିଥିଲେ ।ଲବଣ ସତ୍ୟାଗ୍ରହର ଐତିହ୍ୟ, ମହାତ୍ମାଗାନ୍ଧୀ ଙ୍କ ର ସ୍ବାଧୀନତା ସଂଗ୍ରାମରେ କୁହୁଡି ର ଅବଦାନ, ମହାତ୍ମାଗାନ୍ଧୀ ଙ୍କ ଓଡିଶା ଗସ୍ତର ଇତିହାସ, ସଂଗ୍ରାମ, ସଂଗ୍ରାମୀ ମାନଙ୍କର ସଂଘର୍ଷ ର କଥା,ସ୍ବ ନିର୍ଭରଶୀଳତା,ଆଜିର ସମୟରେ ଲବଣ ସତ୍ୟାଗ୍ରହ ଆଲୋଚନା ର ଆବଶ୍ୟକତା ଓ ଯୁବ ପିଢ଼ି ଙ୍କୁ ଅନୁପ୍ରେରଣା ସମ୍ପର୍କରେ ଦୁଇ ପ୍ରମୁଖ ବକ୍ତା ବିସ୍ତୃତ ଆଲୋଚନା କରିଥିଲେ ।ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ,ଅସ୍ତରଙ୍ଗ ବ୍ଲକ ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଦିବାକର ଛାଟୋଇ,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ଉପଦେଷ୍ଟା ମହେଶ୍ବର ନାୟକ, ସଂଗ୍ରାମୀ ଦାୟାଦ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ ଓ କୁହୁଡି ର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ସ୍ମାରକୀ ସମାରୋହ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଶୁଭେଚ୍ଛା ବାର୍ତ୍ତା କୁ ପଠନ କରା ଯାଇଥିଲା ।ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ପକ୍ଷରୁ ପ୍ରକାଶିତ ସ୍ମରଣିକା କୁହୁଡି କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।ଗତ ମାଟ୍ରିକ ପରୀକ୍ଷାରେ ଅସ୍ତରଙ୍ଗ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ୪ ଜଣ ଛାତ୍ର ଛାତ୍ରୀ ସୁଚିସ୍ମିତା ସେଠୀ, ସୂରଜ ପ୍ରଧାନ, ପୁଷ୍ପଜିତ ପ୍ରଧାନ ଓ ଶଶାଙ୍କ ଦଳାଇ ଙ୍କୁ ଅତିଥି ମାନେ ମାନପତ୍ର ଓ ଆର୍ଥିକ ସହଯୋଗ ମାଧ୍ୟମରେ ସମ୍ବର୍ଦ୍ଧିତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସମ୍ପାଦକ କାଳନ୍ଦୀ ଚରଣ ଛାଟୋଇ ମଞ୍ଚ ସଞ୍ଚାଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲୋକ ପ୍ରତିନିଧି, ଶିକ୍ଷାବିତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।ପ୍ରାରମ୍ଭରେ କୁହୁଡି ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ଫଳକରେ ଅତିଥି ମାନେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ପୂର୍ବରୁ ବ୍ଲକ ନିକଟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ବ୍ଲକ ପରିସରରେ ଥିବା ସହୀଦ ସ୍ମୃତି ଫଳକରେ ମାଲ୍ୟାର୍ପଣ କରାଯିବା ସହ ଏକ ସଚେତନତା ପଦଯାତ୍ରା ବ୍ଲକ ଠାରୁ କୁହୁଡି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ସେହିପରି କୁହୁଡି ସ୍ମୃତି ପୀଠ ଠାରେ ଉତ୍କଳ ସଂଗ୍ରାମ ସ୍ମୃତି ସମିତି ର କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ସଂଗୀତ, ବନ୍ଦେ ମାତରମ ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ