ସମବାୟ ଚିନିଶିଳ୍ପ ପ୍ୟାକ୍ସ ସମ୍ପାଦକଙ୍କ ସମୀକ୍ଷା ବୈଠକ

ଆସିକା(ୱାଇଏନ୍‍ଏସ୍‍) ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ପ୍ୟାକ୍ସ ସମ୍ପାଦକମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଆସିକା ସର୍କଲ ଅଧୀନସ୍ଥ ଆସିକା, ଜଗନ୍ନାଥପ୍ରସାଦ, ଭଞ୍ଜନଗର, ଶେରଗଡ, ବେଲଗୁଣ୍ଠା, ସୋରଡା, ବୁଗୁଡା, ଧରାକୋଟ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ଥିବା ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟରତ ଶତାଧୀକ ସମିତି ସଂପାଦକଙ୍କ ସମେତ ସମବାୟ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ଯୋଜନାର ଜିଲ୍ଲା ସଂଯୋଜକମାନେ ଏହି ବୈଠକରେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଓ ଗଜପତି ଜିଲ୍ଲାର ନୋଡାଲ୍‍ ଅଫିସର ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ୟାକ୍ସ ସମ୍ପାଦକମାନଙ୍କ ଏହି ସମୀକ୍ଷା ବୈଠକରେ ଡିଆର୍‍ସିଏସ୍‍ ଯୋଗମାୟା ସାବତ, ଆସିକା ଏଆର୍‍ସିଏସ୍‍ ବିଜୟ କୁମାର ସାହୁ, ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଓ ସଂପାଦକ ସନ୍ତୋଷ କୁମାର ମଲିକ ଏବଂ ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି, ଉପସହକାରୀ ନିବନ୍ଧକ ନୃସିଂହ ପ୍ରସାଦ ପଣ୍ଡା ଓ କମଳ କୁମାର ଆଚାର୍ଯ୍ୟ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ଏଜିଏମ୍‍ ଗୀତାଞ୍ଜଳୀ ବେହେରାଙ୍କ ସମେତ ବହୁ ପଦାଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନରେ ଅନୁଷ୍ଠିତ ପ୍ୟାକ୍ସ ସମ୍ପାଦକମାନଙ୍କ ସମୀକ୍ଷା ବୈଠକରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଅଗ୍ରଗତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସାଙ୍ଗକୁ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଅଧିକ କ୍ରିୟାଶୀଳ କରିବା ଓ ନୂତନ ସଦସ୍ୟ ସଂଗ୍ରହ ଅଭିଯାନକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରି ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ସମବାୟ ସମିତିର ସଦସ୍ୟ ରୂପେ ଗ୍ରହଣ କରିବା, ଏନ୍‍ଏଲ୍‍ପିଏସ୍‍ କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ପ୍ୟାକ୍ସର ଡାଟା ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ଶେଷ କରିବା ଏବଂ ଜନସେବା କେନ୍ଦ୍ର ଗୁୁଡିକୁ କାର୍ଯ୍ୟକ୍ଷମ କରିବା ସାଙ୍ଗକୁ ପ୍ୟାକ୍ସ ଗୁଡିକର ବ୍ୟବସାୟିକ ଅଭିବୃଦ୍ଧି କରି ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି କରିବା, ସମିତି ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା, ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାରକୁ ଦୃଷ୍ଟିରେ ରଖି ଆଖୁଚାଷୀମାନଙ୍କୁ ସହଯୋଗ କରିବା, ଆଖୁଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ଋଣ ଯୋଗାଇଦେବା ସମେତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଅଧିକରୁ ଅଧିକ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ସମବାୟ ସମିତି ଗୁଡିକରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡି ଚାଷୀଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପରିକଳ୍ପନା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ହୋଇଥିଲା ବେଳେ ବିଶେଷ କରି ମହିଳା ଓ ଯୁଗବର୍ଗଙ୍କୁ କିଭଳି ଭାବେ ସମବାୟ ସମିତିରେ ଯୋଡି ହେବ ସେଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନରେ ଅନୁଷ୍ଠିତ ହୋଇଥିବା ପ୍ୟାକ୍ସ ସମ୍ପାଦକଙ୍କ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚିନିଶିଳ୍ପର ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଧ୍ରୁବ ଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, ସୁକାନ୍ତ କୁମାର ପଣ୍ଡା, କାମେଶ୍ୱର ବେହେରାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚିନିଶିଳ୍ପର କର୍ମଚାରୀ ବିଶ୍ୱନାଥ ପାଣିଗ୍ରାହୀ, ସୁଶାନ୍ତ କୁମାର ପାତ୍ର, ଉଲ୍ଲାସ କୁମାର ରେଡି, ବିଷ୍ଣୁ ପ୍ରସାଦ ଜେନା, ରାଜେଶ୍‍ କୁମାର ନାୟକ, କୈଳାଶ ଚନ୍ଦ୍ର ଗୌଡ, ଅମର ନାହାକ ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ