ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ ବେଧଡକ ବାଲି ଚୋରା ଚାଲାଣ କରାଯାଉଥିବା ଜଣାପଡିବା ପରେ ବ୍ରହ୍ମପୁର ଖଣି ବିଭାଗ ଅଧିନ ଚିକିଟି କନିଷ୍ଠ ଖଣି ଅଧିକାରୀ ପଙ୍କଜ ଠାକୁର , ଦିଗପହଣ୍ଡି କନିଷ୍ଠ ଖଣି ଅଧିକାରୀ ସୌମ୍ୟ ରଞ୍ଜନ ନାୟକ, କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ବାୟକଙ୍କ ନେତୃତ୍ୱରେ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ଉପସ୍ଥିତିରେ ବାଲି ସୈରାତ ରାସ୍ତା ଗୁଡ଼ିକୁ ଶୁକ୍ରବାର ଅପରାହ୍ନରେ ଜେସିବିି ମେସିନ ସହାୟତା ରେ ପ୍ରାୟ ୫ ଫୁଟ ଲେଖାଏଁ ଗାତ କରି ଖୋଳି ଦିଆଯାଇଛି।ଯାହା ଫଳରେ ଟ୍ରାକ୍ଟର କିମ୍ବା ଜେସିବିି ମେସିନ ବାଲି ଘାଟ (ରେମ୍ପ)କୁ ଯାଇ ପାରିବ ନାହିଁ। ଉକ୍ତ ବାଲି ସୈରାତ (ରେମ୍ପ)ରୁ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ବେଳେ ଖବର ପାଇ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଫାଣ୍ଡି ଅଧିକାରୀ ଏବଂ ଖଣି ବିଭାଗ ଅଧିକାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ବାଲି ବୋଝେଇ ଟ୍ରାକ୍ଟର ଓ ବାଲି ଲୋଡ ହୋଇଥିବା ୨ଟି ଟ୍ରଲିକୁ ଜବତ କରିଥିଲେ।


