ଅଧିକାରୀଙ୍କୁ ପାଣି ପଞ୍ଚାୟତର ଦାୟିତ୍ୱ ଦେଲେ ଜିଲ୍ଲାପାଳ
ନୂଆପଡା,(ଲିଲାମ୍ବର ନାଗ): ନୂଆପଡ଼ା ଜିଲ୍ଲାରେ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ସେଚନ କାର୍ଯ୍ୟକଳାପର ତଦାରଖ ଓ ନିରୀକ୍ଷଣକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ୨୦ ଜଣ ଅଧିକାରୀଙ୍କୁ ୨୦ଟି ପାଣି ପଞ୍ଚାୟତର ଦାୟିତ୍ୱ ପ୍ରଦାନ କରାଯାଇଛି।ଏହି ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବେ। ଏହି ନିଷ୍ପତ୍ତି ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିଆଯାଇଥିଲା। ବୈଠକରେ ମୁଖ୍ୟ କେନାଲ, ମାଇନର ଓ ସବ୍-ମାଇନର କେନାଲଗୁଡିକର ଉନ୍ନୟନମୂଳକ କାର୍ଯ୍ୟ, ଧାନ କ୍ଷେତକୁ ଜଳ ଯୋଗାଣ ଏବଂ ପାଣି ପଞ୍ଚାୟତମାନଙ୍କ କାର୍ଯ୍ୟକ୍ଷମତା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଦାଶ ସେଚନ ଜଳର ସୁଚାରୁ ବଣ୍ଟନ ଏବଂ କେନାଲ ଭିତ୍ତିଭୂମିର ଉଚିତ ରକ୍ଷାଣାବେକ୍ଷଣ ମାଧ୍ୟମରେ ଚାଷୀମାନଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ନିୟମିତ କ୍ଷେତ୍ରସ୍ତରୀୟ ନିରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରତି ମାସରେ ଅତି କମରେ ଥରେ ଜଳସେଚନ ବିଭାଗର ଅଧିକାରୀ ଏବଂ ସମ୍ପୃକ୍ତ ପାଣି ପଞ୍ଚାୟତର ଚାଷୀମାନଙ୍କ ସହ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଚିହ୍ନଟ କରି ତୁରନ୍ତ ସମାଧାନମୂଳକ ପଦକ୍ଷେପ ନେବା ପାଇଁ ମଧ୍ୟ କୁହାଯାଇଥିଲା।ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ ପରେ କେନାଲ କାର୍ଯ୍ୟର ଅଗ୍ରଗତି, ଜଳ ଯୋଗାଣର ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କିତ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି। ସ୍ଥାନୀୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ ରାଜସ୍ୱ ଓ ଜଳସେଚନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ କରିବା ଉପରେ ମଧ୍ୟ ଜୋର ଦିଆଯାଇଥିଲା।ଏହାଛଡା ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ସୁପରଭାଇଜରମାନଙ୍କୁ ନିଜ ନିଜ ଅଞ୍ଚଳରେ ପାଣି ପଞ୍ଚାୟତ ଓ ସେଚନ ଚ୍ୟାନେଲଗୁଡିକର ଆକସ୍ମିକ ଯାଞ୍ଚ କରି ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ସିଡିଓ-କମ-ଇଓ ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଇଓ ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ଡେପୁଟୀ ଜିଲ୍ଲାପାଳ ଏସ୍.କେ. ନସିମ, ଚିନ୍ମୟ ସାଗର, ତହସିଲଦାର ଲଲାଟେନ୍ଦୁ ଦଣ୍ଡସେନା, ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


