ଗୋରୁ ଚାଲାଣ ବେଳେ ପୋଲିସକୁ ଦେଖି ଖସିଗଲେ ଚାଳକ ଓ ମାଫିଆ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏରାପୁରୁଷୋତ୍ତମପୁରରେ ଗୋରୁ ଚାଲାଣ ରୋକିବା ସମୟରେ ଗୋରୁ ମାଫିଆ ଓ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଫଳରେ ଗୋରୁ ଗାଡିକୁ ନିଜେ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଚଳାଇ ଥାନାକୁ ଆଣିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସାହସକୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ସଦରଥାନା ଅଧିନ ଏରା ପୁରୁଷୋତ୍ତମପୁର ଦେଇ ଗୋ ଚାଲାଣ ହେଉଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ତାଙ୍କ ଟିମ ସହ ଛକି ବସିଥିଲେ। ଗୋରୁ ଗାଡି ଏରାପୁରୁଷୋତ୍ତମପୁର ନିକଟରେ ପହଞ୍ଚିବା କ୍ଷଣି ପୋଲିସ ଗାଡିକୁ ଅଟକାଇଥିଲା। ପୋଲିସ ଗାଡି ଦେଖି ଗୋରୁ ମାଫିଆମାନେ ଦୌଡି ପଳାଇଥିଲେ। ଏଥିସହ ଗୋରୁ ଗାଡି ଚଳାଉଥିବା ଚାଳକ ମଧ୍ୟ ଫେରାର ହୋଇ ଯାଇଥିଲା। ପୋଲିସ ଏହି ରାକେଟ୍‌ରେ କାମ କରୁଥିବା ଜଣେ ସହଯୋଗୀଙ୍କୁ ଧରିଥିଲେ। ହେଲେ ସେ ଗାଡି ଚଳାଇବା ଶିଖି ନଥିଲେ। ତେଣୁ ବିଳମ୍ବିତ ଅନ୍ଧକାର ରାତିରେ ସଦର ଥାନାଧିକାରୀ ଶ୍ରୀମତୀ ପ୍ରଧାନ ଗୋରୁ ଗାଡି ଚଳାଇ ଥାନାକୁ ଆସିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ଶ୍ରୀମତୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଗୋରୁ ଚାଲାଣ ହେବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଫଳରେ ଆମେ ଟିମ ସହ ଏରା ପରୁଷୋତ୍ତମପୁରରେ ଜଗି ରହିଥିଲୁ। ଗାଡି ଆସିବା ସଙ୍ଗେ ସଙ୍ଗେ ଆମେ ଗାଡିକୁ ଅଟକାଇଥିଲୁ। ହେଲେ ଗାଡିରେ ଥିବା ଚାଳକ ଓ ମାଫିଆମାନେ ଗାଡି ଛାଡି ଫେରାର ହୋଇ ଯାଇଥିଲେ। ଏହି ରାକେଟ୍‌ରେ କାମ କରୁଥିବା ଜଣେ ଯୁବକଙ୍କୁ ଆମେ ଧରିବାରେ ସକ୍ଷମ ହୋଇଥିଲୁ। ଗାଡି ଚଳାଇବା ପାଇଁ କୌଣସି ଚାଳକ ନ ଥିବାରୁ ମୁଁ ନିଜେ ୧୦ କିଲୋମିଟର ଗାଡି ଚଳାଇ ଥାନାକୁ ଆଣିଥିଲିି ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ