ଚିର ସବୁଜ ସଙ୍ଗୀତର ବର୍ଣ୍ଣାଳୀ ଇଟିକିଲି ମିଟିକିଲି ସଙ୍ଗୀତ-ସୁରଭି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଶିଶୁ କଣ୍ଠଶିଳ୍ପୀମାନଙ୍କର କଣ୍ଠରୁ ଝଂକୃତ ହେଉଥିଲା ଅନେକ ଲୋକପ୍ରିୟ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ରୋମାଣ୍ଟିକ ସଂଗୀତ, ଯାହାକୁ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିଲେ । ଅବସର ଥିଲା ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ଇଟିକିଲି ମିଟିକିଲି ଆୟୋଜିତ କଣ୍ଠସଂଗୀତର ମନଛୁଆଁ କାର୍ଯ୍ୟକ୍ରମ ‘ସଙ୍ଗୀତ-ସୁରଭି’ । ଅନୁଷ୍ଠିତ ଏହି ସଂଗୀତ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଶିଶୁ କଣ୍ଠଶିଳ୍ପୀମାନେ ଚବିଶ ଗୋଟି ଅତ୍ୟନ୍ତ ଲୋକପ୍ରିୟ ତଥା ଚିର-ସବୁଜ ଓଡ଼ିଆ ଓ ହିନ୍ଦୀ ଗୀତକୁ ଏକକ ଓ ଯୁଗଳ କଣ୍ଠରେ ଗାନ କରିଥିଲେ । ଏ ବନର ଛାଇ, ରୁପା ଶଗଡ଼ିରେ ସୁନା କନିଆଁ, ମୁଁ ପାଉ ନଥିଲି ସାହା, ମୟୂରୀ ଗୋ ତୁମ ଆକାଶେ ମୁଁ, ପରଦେଶୀ ବନ୍ଧୁ ତୁମେ, ଏଇ ଝୁମା ଝୁମା ଗୋଲାପୀ ବେଳାରେ, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର ଭଳି ସର୍ବଜନ ଆଦୃତ ଓଡ଼ିଆ ଚଳଚ୍ଚିତ୍ର ଗୀତ ଓ କଜରା ଲଗାକେ ଗଜରା ସଜାକେ, ଝିଲ୍‍ମିଲ୍‍ ସିତାରୋଁ କା ଆଙ୍ଗନ ହୋଗା, ତୁଜ୍‍ ସଙ୍ଗ ପ୍ରୀତ୍‍ ଲଗାଇ ସଜନା, ବାହାରୋଁ ଫୁଲ୍‍ ବର୍‍ସାଓଁ, ଜନମ ଜନମ କା ସାଥ ହେ ତୁମାରା ହମାରା ଇତ୍ୟାଦି ଲୋକପ୍ରିୟ ତଥା ରୋମାଣ୍ଟିକ ହିନ୍ଦୀ ଚଳଚ୍ଚିତ୍ର ଗୀତ ସବୁକୁ ଶିଶୁ କଣ୍ଠଶିଳ୍ପୀମାନେ ଗାନକରି ଶ୍ରୋତାମାନଙ୍କ ମନକୁ ଛୁଇଁ ଯାଇଥିଲେ । ଏଥି ସହିତ ଜାତିରଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ତାଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ତେନେ କହି ହେ’କୁ ସ୍ୱତନ୍ତ୍ର ଭାବରେ ସମବେତ କଣ୍ଠରେ ପରିବେଷଣ କରାଯାଇଥିଲା । ଅଂଶଗ୍ରହଣ କରିଥିବା ଶିଶୁ କଣ୍ଠଶିଳ୍ପୀମାନେ ହେଲେ; ଶାଶ୍ୱତୀ ନାରାୟଣୀ, ଆଦିତ୍ୟ, ସନ୍ତୋଷସାତ୍ୟକ, ତନୁଶ୍ରୀ, ନୌମିକା, ସିଦ୍ଧିତ୍ସ୍ନା, ଯୁବରାଜ, ମନୀଷ କୁମାର, ସାରଦା, ଆକାଂକ୍ଷା, ତ୍ୱେଷା ଓ ଅଭିଜିତ ପ୍ରମୁଖ । ସଙ୍ଗୀତ-ସୁରଭି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ‘କାଦମ୍ବିନୀ’ର ସଂପାଦିକା ଇତି ସାମନ୍ତ ଉଦଘାଟନ କରି କହିଲେ ଯେ, ଇଟିକିଲି ମିଟିକିଲି ଶିଶୁ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ଉନ୍ମେଷ କରି ଆଗାମୀ ପିଢି ପାଇଁ କଣ୍ଠଶିଳ୍ପୀ ସୃଷ୍ଟି କରିବା ନିଶ୍ଚିତ ଭାବରେ ଏକ ଅଭିନବ ଉଦ୍ୟମ । କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଂଯୋଜକ ଚିତ୍ତ ମହାପାତ୍ର ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଚିବ ଶରତ କୁମାର ନାୟକ, ଇଟିକିଲି ମିଟିକିଲି ପ୍ରତ୍ୟେକ ବର୍ଷ ସଙ୍ଗୀତ-ସୁରଭି କାର୍ଯ୍ୟକ୍ରମ ଆୟୋଜନ କରି ସାନସାନ ପିଲାଙ୍କ ମଧ୍ୟରେ ଥିବା ସଙ୍ଗୀତ-ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି ବୋଲି ବକ୍ତବ୍ୟ ରଖିବା ସହିତ ଏଥି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି, ଜୟନ୍ତିକାଙ୍କ ଲିଖିତ ପିଲାଙ୍କ ପୁସ୍ତକ “ଗାଇବା ବସନ୍ତ ଗୀତ”କୁ ଉନ୍ମୋଚନ କରିଥିଲେ । ଏତଦଭିନ୍ନ ଉତ୍ସବର ବିଭିନ୍ନ ପର୍ଯ୍ୟାୟରେ ପ୍ରଦୀପ କୁମାର ବିଶ୍ୱାଳ, ବିଷ୍ଣୁମୋହନ ମହାନ୍ତି, ପ୍ରବାସ ଚନ୍ଦ୍ର ନାୟକ, ଶିବାଶୀଷ ମାଇତି, ପ୍ରଭାକର ମହାନ୍ତି, ନିଶିକାନ୍ତ ମିଶ୍ର, ଲକ୍ଷ୍ମଣ କୁମାର ପାଲ, ସୌମିତ୍ର ପଟ୍ଟନାୟକ,ସଞ୍ଜୟ କୁମାର ସାହୁ, ହରିହର ଶୁକ୍ଳ, କମଳାକାନ୍ତ ରଥ, ଶାନ୍ତନୁ ପୃଷ୍ଟି, ଅନୁରାଧା ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତ କଣ୍ଠଶିଳ୍ପୀମାନଙ୍କୁ ଫଳକ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ମଧ୍ୟ ଇଟିକିଲି ମିଟିକିଲି ଆନୁକୂଲ୍ୟରେ ପୂର୍ବରୁ ଆୟୋଜିତ ହୋଇଥିବା ‘ଫନି-ଏକ ପ୍ରାକୃତିକ ବିପର୍ଯ୍ୟୟ’ ଶୀର୍ଷକ ପିଲାଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଙ୍ଗୀତ-ସୁରଭି କାର୍ଯ୍ୟକ୍ରମକୁ ଜଣାଶୁଣା ଉପସ୍ଥାପିକା ଗୁଡ଼ି ଓ କିଶୋରୀ କଣ୍ଠଶିଳ୍ପୀ ରିତିକା ରିମ୍‍ଝିମ୍‍ ବେଶ୍‍ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନା କରିଥିଲେ । ଅନୁଷ୍ଠାନର ସହ-ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନୀତା ରଥ, ତପତୀ ପାଣିଗ୍ରାହୀ, ପ୍ରିୟଦର୍ଶୀ ଶୁଭକାନ୍ତ ଓ ଶିଳ୍ପୀତା ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏତଦ୍‍ଭିନ୍ନ ଏହି ଅବସରରେ ‘୧୫୦ ବର୍ଷରେ ମହାତ୍ମା’ ଶୀର୍ଷକ ଏକ ଦ୍ୱି-ଦିବସୀୟ ପିଲାଙ୍କ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଆୟୋଜିତ ହୋଇଥିଲା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୦ ଜଣ ସାନସାନ ପିଲାଙ୍କର ମହାତ୍ମା ଗାନ୍ଧୀଙ୍କ ସଂପର୍କୀୟ ଆକର୍ଷଣୀୟ ଚିତ୍ର ସମୂହ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ