ଲୋକଙ୍କୁ ହାଣି ଲୁଟୁଥିବା ଗ୍ୟାଙ୍ଗ ଠାବ: ୪ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସଦରଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରି ଲୁଟୁଥିବା ଏକ ଗ୍ୟାଙ୍ଗକୁ ସଦରଥାନା ପୋଲିସ ଠାବ କରିଛି। ଏହି ଗ୍ୟାଙ୍ଗରେ ସଂପୃକ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଡେରାବିଶ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମର ଅଭିରାମ ମଳିକଙ୍କ ପୁଅ ମକରା ମଳିକ(୩୦), ମକରାର ଭାଉଜ ସେହିଗ୍ରାମର ତରୁଣ କୁମାର ନାୟକଙ୍କ ପତ୍ନୀ ସୈାଦାମିନୀ ନାୟକ(୨୫), ଗ୍ୟାଙ୍ଗ ସଦସ୍ୟ ସଦରଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ରବିନ୍ଦ୍ର ସିଂଙ୍କ ପୁଅ ଘଟିଆ ସିଂ(୨୬) ଓ ଚୋରା ସୁନା କିଣିଥିବା ସୁନା ଦୋକାନୀ ବାଲିକୁଦା ଗ୍ରାମର ତଥା ବର୍ତ୍ତମାନ ରହୁଥିବା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ବାଲିଚନ୍ଦ୍ରପୁରର ନଟ ସାହୁଙ୍କ ପୁଅ ସତ୍ୟବ୍ରତ ସାହୁ(୪୬)। ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩୦ହଜାର ଟଙ୍କା, ୧୨.୭ଗ୍ରାମ ତରଳାସୁନା, ୧୮.୨ଗ୍ରାମର ତରଳ ରୂପା, ୩.୦୫ଗ୍ରାମର ଏକ ମଙ୍ଗଳସୂତ୍ର, ନମ୍ବର ପ୍ଲେଟ ନଥିବା ଏକ ବାଜାଜ ପଲସର ବାଇକ, ଗୋଟିଏ ବଡ ଛୁରୀ, ଗୋଟିଏ ଲୁହା ହୁକ ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି। ମକରା ଓ ତା ଗ୍ୟାଙ୍ଗର ସଦସ୍ୟମାନେ ସୁନାଗହଣା ଲୁଟିବା ପରେ ସୁନା ଦୋକାନୀ ସତ୍ୟବ୍ରତକୁ ବିକ୍ରୀ କରୁଥିଲେ। ସତ୍ୟବ୍ରତ ପ୍ରମାଣ ନଷ୍ଟ କରିବା ପାଇଁ ସୁନାଗହଣାକୁ ତରଳାଇ ଦେଉଥିଲେ। ମକରା ଗ୍ୟାଙ୍ଗ ନାମରେ ମାର୍ଶାଘାଇ ଥାନା, ଡେରାବିଶ ଥାନା, ପଟ୍ଟାମୁଣ୍ଡାଇ ଥାନା, କେନ୍ଦ୍ରାପଡା ସଦର ଥାନା ଓ ନିଶ୍ଚିନ୍ତକୋଇଲି ଥାନାରେ ୧୦ରୁ ଉର୍ଦ୍ଧ୍ୱ ମାମଲା ପୂର୍ବରୁ ରହିଛି। ନିକଟରେ ମକରା ଗ୍ୟାଙ୍ଗ ସଦସ୍ୟମାନେ ଚାନ୍ଦୋଳ ନିକଟରେ ଏକ ବାଇକରେ ଶଶୁର ଓ ବୋହୂ ଯାଉଥିବା ବେଳେ ଛୁରୀମାଡ କରି ସୁନାଗହଣା ଲୁଟି ନେଇଥିଲେ। ସେହିପରି କେନ୍ଦ୍ରାପଡା ସହରରୁ ଫେରୁଥିବା ବେଳେ ଶ୍ୟାମସୁନ୍ଦରପୁର ଗଡା ନିକଟରେ ଏକ ଦମ୍ପତ୍ତିଙ୍କ ଠାରୁ ସୁନାହାର ଲୁଟିନେଇଥିଲେ। ମକରା ଗ୍ୟାଙ୍ଗ ଏହିଭଳି ଆତଙ୍କ ସୃଷ୍ଟି କରି ଫେରାର ହୋଇଯାଇଥିବାରୁ ତାକୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଏସପି ସିଦ୍ଧାର୍ଥ କଟ୍ଟାରିଆ ସଦର ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନକୁ ଦାୟିତ୍ୱ ଦେଇଥିଲେ। ଥାନା ଅଧିକାରୀ ୫ରାତି ଅନିଦ୍ରା ହୋଇ ତାଙ୍କ ଟିମ ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଗ୍ୟାଙ୍ଗକୁ ଠାବ କରିଥିଲେ। ଆଜି ସେହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମକରା ମଳିକ, ଗ୍ୟାଙ୍ଗ ସଦସ୍ୟ ଘଟିଆ ସିଂ ଓ ସୈାଦାମିନୀ ନାୟକ ଏବଂ ସୁନା ଦୋକାନୀ ସତ୍ୟବ୍ରତ ସାହୁଙ୍କୁ ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ରାଜେଶ ଜେନା ଓରଫ କାଳିଆ ଫେରାର ହୋଇଯାଇଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ