ଭୀଷଣ ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ କଟକ ସହର

କଟକ, (ଓ୍ବାଇଏନଏସ): କଟକକୁ ମାଡ଼ି ଆସୁଛି କି ବଡ଼ ବିପତ୍ତି। ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ କଟକ। ପିଇବା ପାଣି ପାଇଁ କଟକବାସୀ ହନ୍ତସନ୍ତ ହେବେ। ବେଳୁ ହୁଁ ସାବଧାନ ନହେଲେ ଏ ଦିନ ବେଶୀ ଦୂର ନୁହେଁ। ରେଭେନ୍ସା ବିଶ୍ବବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗ ପ୍ରଫେସର ଏପରି ସତର୍କବାଣୀ ଦେବା ସହ ସରକାରଙ୍କୁ ଚେତାଇ ଦେଇଛନ୍ତି। ମାତ୍ରାଧିକ ବାଲି ଖନନ ଯୋଗୁଁ ଏହି ସ୍ଥିତି ଉପୁଜିବାକୁ ଯାଉଥିବା ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି। ମହାନଦୀ ଓ କାଠଯୋଡ଼ି ନଦୀ ମଝିରେ କଟକ ସହରର ଅବସ୍ଥିତି। ହେଲେ ଉଭୟ ନଦୀରୁ ନିୟମିତ ବାଲି ଖନନ ଚାଲିଛି। ଫଳରେ ନଦୀ ଶଯ୍ୟାରେ ଜଳସ୍ତର ତଳକୁ ତଳକୁ ଖସି ଖସି ଚାଲିଛି। ୨୦୨୫ରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା କି ବିଶ୍ୱ ବାର୍ଷିକ ୫୦ ବିଲିଅନ୍ ମେଟ୍ରିକ ଟନ୍ ବାଲି ଆବଶ୍ୟକ କରେ। ହେଲେ ଏହି ଆବଶ୍ୟକତା ୧୯୭୦ରେ ଥିଲା ମାତ୍ର ୯.୬ ବିଲିଅନ ମେଟ୍ରିକ ଟନ୍। ତେଣୁ ବାଲିର ବଢ଼ୁଥିବା ଆବଶ୍ୟକତା ଯୋଗୁଁ ନଦୀ ଶଯ୍ୟାରେ ଅଧିକ ମାତ୍ରାରେ ବାଲି ଖନନ ହେଉଛି। ଯାହା ଦ୍ୱାରା ନଦୀର ଜଳସ୍ତର କମିବାରେ ଲାଗିଛି। ତେଣୁ ଭୂତଳ ଜଳସ୍ତର କମ୍ ଥିବା ସ୍ଥାନରେ ବାଲି ଖନନ ପାଇଁ ଅନୁମତି ନଦେବାକୁ ରିସର୍ଚ୍ଚ ଟିମ୍‌ ମୁଖ୍ୟ ପ୍ରଫେସର ସନ୍ଦୀପ କୁଣ୍ଡୁ କହିଛନ୍ତି। କଟକର ବିଭିନ୍ନ ସ୍ଥାନରେ ନଦୀ ଶଯ୍ୟା ନିକଟରେ ଅତ୍ୟଧିକ ବାଲି ଖନନ ହେଉଛି। ଫଳରେ ନଦୀ ଶଯ୍ୟା ଆକାର ବ୍ୟାପକ ଭାବେ ସଙ୍କୁଚିତ ହୋଇଛି। ତେଣୁ ଗତ ତିନି ବର୍ଷ ହେବ ଏହି ସବୁ ଅଞ୍ଚଳରେ ଭୂତଳ ଜଳସ୍ତର ମଧ୍ୟ କମୁଛି। ନଦୀ ଶଯ୍ୟା ନିକଟରେ ସବୁଜିମା ବୃଦ୍ଧି କରିବାକୁ ଏନଜିଟିଙ୍କ ପରାମର୍ଶ ଥିବା ସତ୍ତ୍ୱେ ବ୍ୟପକ ବାଲି ଖନନ ଚାଲୁଛି। ଏହା ଫଳରେ ଆମେ ଆଗକୁ ଆହୁରି ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛୁ ବୋଲି କହିଛନ୍ତି ରିସର୍ଚ୍ଚ ଟିମ୍ ସ୍କଲାର୍। ବେଆଇନ ବାଲି ଖନନକୁ ନେଇ ୨୦୨୨ରୁ ୨୦୨୫ ମଧ୍ୟରେ ଏନ୍‌ଜିଟିଙ୍କ ନିକଟରେ ୩୨୧୯ଟି ମାମଲା ରୁଜୁ ହୋଇଛି। ଏଭଳି ସ୍ଥିତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗର ଏଭଳି ରିସର୍ଚ୍ଚ ରିପୋର୍ଟ ପରେ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ହୋଇପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ