ଜୁଡ଼ିସିଆଲ୍ ହବ୍ ତୁରନ୍ତ ନିର୍ମାଣ ଓ ଅନ୍ୟାନ୍ୟ ଦାବି

ବାଲେଶ୍ୱର, (ଓ୍ବାଇଏନଏସ): ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ ତୁରନ୍ତ ନିର୍ମାଣ ଦାବିରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ପାଇଁ ସିଭିଲ୍ ସୋସାଇଟି ଶୁକ୍ରବାର ଦିନ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛି। ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ମନୋଜ ନାୟକ ଆଲୋଚନା ବିଷୟ ଆଗତ କରିଥିଲେ। ଗତ ୨୦୨୩ ମସିହାରୁ ବାଲେଶ୍ୱରରେ ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ ଆଇଟିଆଇ ନିକଟସ୍ଥ ଜଳସେଚନ ବିଭାଗର ସ୍ଥାନରେ ନିର୍ମାଣ ପାଇଁ ନିଆଯାଇଥିଲେ ମଧ୍ୟ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସିଭିଲ୍ ସୋସାଇଟି ପକ୍ଷରୁ ମାନ୍ୟବର ସୁପ୍ରିମ୍ କୋର୍ଟ, ଓଡ଼ିଶା ହାଇକୋର୍ଟ, ବାଲେଶ୍ୱର ଜିଲ୍ଲା ଜଜ୍‌, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଏଥିପାଇଁ ବାରମ୍ବାର ଚିଠି ଲେଖାଯାଇଥିଲା। ସମସ୍ତ ଦପ୍ତରରୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଜୁଡ଼ିସିଆଲ୍ ହବ୍ ନିର୍ମାଣ ହେବ ବୋଲି କୁହାଯାଇଥିଲେ ମଧ୍ୟ କାହିଁକି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ ଉଠାଇଥବଲେ। ସେହିପରି ୧୬ନଂ. ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଗଣେଶ୍ୱରପୁର ମୌଜାରେ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ୍ ଦୀର୍ଘବର୍ଷଧରି ନିର୍ମାଣ କରାଯାଉନାହିଁ। ଫଳରେ ବସ୍‌ଗୁଡ଼ିକ ସହରର ବିଭିନ୍ନ ରାସ୍ତା ପାଶ୍ୱର୍ରେ ରଖାଯିବାରୁ ଯାନବାହନ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ସହଦେବଖୁଣ୍ଟାସ୍ଥିତ ବସ୍‌ଷ୍ଟାଣ୍ଡ୍‌କୁ ବସ୍‌ଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ଦିଗକୁ ଥିବାରୁ ମୁଖ୍ୟରାସ୍ତାରେ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ବୋଲି ବୈଠକରେ ବହୁ ସଦସ୍ୟ ଆଲୋଚନା କରିଥିଲେ। ବାଲେଶ୍ୱର ସହରକୁ ପ୍ରମୁଖ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଥିବା ତାମୁଳିଆ ଓଭରବ୍ରିଜ୍‌ର ନିମ୍ନମାର ନିର୍ମାଣ କାର୍ଯ୍ୟ ଯୋଗୁଁ ଗତ ୨୦୧୯ରେ ନିର୍ମିତ ଏହି ବ୍ରିଜ୍‌ରେ ପ୍ରତିବର୍ଷ ମରାମତି କାର୍ଯ୍ୟରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ତେଣୁ ଏହାର ବିଧିବଦ୍ଧ ତଦନ୍ତ ଓ ନିର୍ମାଣକାରୀ ସଂସ୍ଥା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ୍ ସୋସାଇଟି ଦାବି କରିଛି। ଏହି ଓଭରବ୍ରିଜ୍ ପାଶ୍ୱର୍ରେ ଅନ୍ୟ ଏକ ନୂତନ ବ୍ରିଜ୍ ନିର୍ମାଣ ପାଇଁ ଦାବି କରାଯାଇଛି ବୋଲି ସଭାପତି ଶ୍ରୀ ପ୍ରଧାନ ଅବଗତ କରାଇଥିଲେ। ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ଆଇନଜୀବୀ ଦୀପକ ଦାଶ, ଗଣେଶ୍ୱର ରାଉତ ଓ ତୁଷାରକାନ୍ତି ମହାପାତ୍ର, ଜୟନ୍ତ ଦାସ, ଶରତ ଚନ୍ଦ୍ର ଦଳାଇ, କମଳାକାନ୍ତ ନାୟକ, କମଳାକାନ୍ତ ବେହେରା, କଲ୍ୟାଣୀ ନନ୍ଦ, ବିଜୟ କୁମାର ବେହେରା, ରଘୁନାଥ ନାୟକ ଓ ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଜୁଡ଼ିସିଆଲ୍ ହବ୍ ତୁରନ୍ତ ନିର୍ମାଣ ଦାବିରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ପାଇଁ ପ୍ରସ୍ତାବ ଆଗତ କରିବା ପରେ ଏହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା। ଆସନ୍ତା ୨୩ ତାରିଖ ଦିନ ଜିଲ୍ଲାପାଳ ଓ ଜିଲ୍ଲା ଜଜ୍‌ଙ୍କୁ ଲିଖିତଭାବେ ସିଭିଲ୍ ସୋସାଇଟି ପକ୍ଷରୁ ଏ ସଂପର୍କରେ ଜଣାଇ ଦିଆଯିବ। କୋଷାଧ୍ୟକ୍ଷ ସନ୍ତୋଷ ସାହୁ ଆୟବ୍ୟୟର ହିସାବ ଆଗତ କରିଥିଲେ। ଶ୍ୟାମସୁନ୍ଦର ଜେନା ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ