ବେଧଡକ ଚାଲିଛି ଚୋରା ମଦ ବ୍ୟବସାୟ: ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଚଢାଉ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହର ମଦ ବ୍ୟବସାୟୀ ଙ୍କ ଅମରାବତୀ ପାଲଟିଛି।ସହରର ନିର୍ଦ୍ଦିଷ୍ଟ ପାନ ଦୋକାନ,ଢ଼ାବା ହୋଟେଲ,ଜଳଖିଆ ଦୋକାନ ଏବଂ ରାସନ ଦୋକାନ ମାନଙ୍କରେ ଖୁଲମ ଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ୨୦ ରୁ ଉର୍ଦ୍ଧ୍ବ ସ୍ଥାନରେ ବେଆଇନ ମଦ ଦୋକାନ ଖୋଲାଯାଇ ଦୈନିକ ପ୍ରାୟ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ର ଦେଶୀ ଓ ବିଦେଶୀ ମଦ କାରବାର ହେଉଛି।  ନକଲି ବିଦେଶୀ ମଦ ଏବଂ ଚୋରା ଦେଶୀମଦ ପାଉଚ ର କାରବାର ବେଧଡକ ଚାଲିଥିବା ବେଳେ ଏହାକୁ ରୋକିବାରେ ଦିଗପହଣ୍ଡି ଅବକାରୀ ବିଭାଗ ଓ  ପୋଲିସ ର ନିଷ୍କ୍ରିୟତା ଜନ ଅସନ୍ତୋଷର କାରଣ ପାଲଟିଛି। ସ୍ଥାନୀୟ ପୁଞ୍ଜିକଂୟା ଛକ,ନୂଆ ବସଷ୍ଟାଣ୍ଡ,ପୁରୁଣା ବସଷ୍ଟାଣ୍ଡ ଇଲାକାରେ ଖୁଲମ୍ ଖୁଲା ମଦ ବିକ୍ରି ହେଉଥିବାରୁ ଗରିବ ନିରୀହ ଲୋକଙ୍କ ସମେତ ଅନେକ କ୍ଷେତ୍ରରେ କୋମଳମତି ଛାତ୍ର ମଦ ପିଇ  ପଥଭ୍ରଷ୍ଟ  ହେଉଛନ୍ତି। ମଦ,ବ୍ରାଉନ ସୁଗାର, ଗଞ୍ଜେଇ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ର ଅବାଧ କାରବାର ଅବ୍ୟାହତ ଥିବା ବେଳେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏହାର ପେଣ୍ଠ ସ୍ଥଳି ପାଳଟିଛି। ଜନଗହଳି ପୂର୍ଣ୍ଣ ରାସ୍ତାକଡ ରେ ବେଧଡକ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ବସ ଯୋଗେ ସହରକୁ ଆସୁଥିବା ଯାତ୍ରୀ ମାନେ ବିଶେଷ କରି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଜପତି ଜିଲା ର ଦୁର୍ଗମ ଅଞ୍ଚଳ ମାନଙ୍କରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ବେଳେ ସେଠାରୁ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ  ଆଣି ଏଠାରେ ଅବାଧ କାରବାର ଚାଲିଛି। ଦିଗପହଣ୍ଡି ଏବେ କିଛିଦିନ ହେଲା ଚୋରା ରନ୍ଧା ମଦ,ନକଲି ବିଦେଶୀ ମଦ,ବ୍ରାଉନ ସୁଗାର ଏବଂ ଗଞ୍ଜେଇ କାରବାରର ଟ୍ରାଞ୍ଜିଟ ପଏଣ୍ଟ ପାଲଟିଛି। ବଢ଼ିଚାଲିଥିବା ଥିବା ଆଇନ ଶୃଙ୍ଖଳା ବିଶେଷ କରି ସହରରେ  ମହିଳା ମାନଙ୍କ ସୁରକ୍ଷା ଏବଂ ସମ୍ମାନ କୁ ଲକ୍ଷ୍ୟ ରଖି ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ସହରର  ମୁଖ୍ୟରାସ୍ତାକଡ଼ରେ ଅବୈଧ ଭାବେ ବିକ୍ରୟ କରା ଯାଉଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର  ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ  ଏନଏସି ଅଧିନ ନୂତନ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଏବଂ ପୁଞ୍ଜିକୟାଁ ଛକ ର ୫ ଶହ ମିଟର ଅବଧି ମଧ୍ୟରେ କୌଣସି ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରୟ କରାଯାଇପାରିବ ନାହିଁ ବୋଲି ଗତ ସୋମବାର କାର୍ଯ୍ୟାଳୟ ଚିଠି ସଂଖ୍ୟା -୧୮୨୦ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରି ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏନଫୋର୍ସମେଣ୍ଟ ସ୍କୁଆର୍ଡ ଓ ଥାନା ଆଇଆଇସି କିଶୋର କୁମାର ସାମଲ, ଏଏସଆଇ ଦିଲ୍ଲୀପ ଗୋରଡ଼ା ଙ୍କ ନେତୃତ୍ୱରେ ପୋଲିସ ଟିମ୍ ମିଳିତ ଭାବେ  ସହରର ବିଭିନ୍ନ ସ୍ଥାନ ରେ ଅଚାନକ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ପାଉଚ୍ ଜବତ କରିବା ସହ ସମ୍ପୃକ୍ତ ୪ ମଦ ବିକ୍ରେତା ମାନଙ୍କୁ ଗିରଫ କରି ଥାନାକୁ ଉଠାଇ ନେଇଥିଲେ। ଏଭଳି କାର୍ଯ୍ୟକୁ ସହରର ବହୁ ବୁଦ୍ଧିଜୀବୀ ବିଧାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ  ଧନ୍ୟବାଦ ଦେବା ସହ ସହର ର ମୁଖ୍ୟରାସ୍ତା କଡ଼ରେ ଯେପରି ବେଧଡକ ମଦ ବିକ୍ରୀ ନ ହେବ ସେଥିପ୍ରତି ଅବକାରୀ ପୋଲିସ ବିଭାଗୀୟ ଅଧିକାରୀ ମାନଙ୍କୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ପ୍ରକାଶ ଯେ,  ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବିରୋଧରେ ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ ଧରପଗଡ କରାଯାଇ କେରାଣ୍ଡି ଧରି ଶେଉଳ ଛାଡ଼ିବା ସଦୃଶ ହେଉଛି।ଦିଗପହଣ୍ଡି ଥାନା ଅଧୀନରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଏବଂ ବିଦେଶୀ ମଦ ବାର ଥିବା ବେଳେ ପୁନର୍ବାର ଡେଙ୍ଗାଓସ୍ତା ଏବଂ ପୋଡ଼ାମାରି ରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି।ଯଦ୍ୱାରା ଏହି ଅଞ୍ଚଳର ଜନସାଧାରଣଙ୍କ ଆର୍ଥିକ ମାନ ଦଣ୍ଡ ଦୁର୍ବଳ ହୋଇପଡ଼ିବା ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଙ୍କ ପକ୍ଷରୁ ଅବକାରୀ ଏସ.ପି ଏବଂ ବ୍ରହ୍ମପୁର ଏସ.ପି ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।
( ଫଟୋ ଯାଇଛି)
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ