ମୋଟରସାଇକେଲ ଧକ୍କାରେ ଜଣେ ମୃତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଛକରେ ମୋଟରସାଇକେଲ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳ (୬୨)। ଏନେଇ ଚିତ୍ତରଞ୍ଜନଙ୍କ ଭଣଜା ମିଥୁନ ବରାଡ (୩୬) ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ମିଥୁନଙ୍କ ଅଭିଯୋଗ ପ୍ରକାରେ ଆଜି ଦିନ ଏକ ଘଣ୍ଟା ତିରିଶି ମିନିଟ୍ ସମୟରେ ଚିତ୍ତରଞ୍ଜନ ଗାଙ୍ଗପୁର ବ୍ୟାଙ୍କ୍ ରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ସିଙ୍ଗିପୁର ଛକରେ ପରିସ୍ରା ଯିବା ପାଇଁ ନିଜ ସ୍କୁଟି ରଖିଥିଲେ। ସେ ରାସ୍ତା ପାର୍ଶ୍ୱରେ ପରିସ୍ରା କରୁଥିବା ସମୟରେ ଆସିକା ପଟୁ ଓଡି 07ବିବି 9324 ନମ୍ୱର୍ ବିଶିଷ୍ଟ ଏକ ମୋଟସାଇକେଲ ଆସି ଚିତ୍ତରଞ୍ଜନଙ୍କ ଆଗପଟୁ ଜୋର୍ ରେ ଧକ୍କା ଦେଇଥିଲା। ଫଳରେ ଚିତ୍ତରଞ୍ଜନ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ମିଥୁନ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଚିତ୍ତରଞ୍ଜନଙ୍କୁ ସାଙ୍ଗ ସାଥିଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୋଟରସାଇକେଲ ଚାଳକଙ୍କ ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନା ଯୋଗୁଁ ହିଁ ଦୁର୍ଘଟଣା ଘଟିଥିବା ନେଇ ମିଥୁନ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଗାଙ୍ଗପୁର ଥାନାରେ ୨୪୯/୨୬ ରେ ଏକ ମାମଲା ରୁଜୁ କରାଯାଇ ଏସ୍. ଆଇ ବିନାୟକ ବିଧାର ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି। ଆସିକାରେ ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।


