ଆସିକାରେ ଜାମୁକୋଳିର ଚାହିଦା ଓ ବିକ୍ରୀବଟା ବୃଦ୍ଧି

ଆସିକା (ୱାଇଏନ୍‍ଏସ୍‍) : ଆସିକା ଅଞ୍ଚଳରେ ଜାମୁକୋଳିର ଚାହିଦା ଓ ବିକ୍ରୀବଟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସହରର କେତେକ ରାସ୍ତାକଡରେ ଏହି ଋତୁକାଳୀନ ଫଳ ଜାମୁକୋଳି ବିକ୍ରୀ ହେଉଥିବା ବେଳେ ଗ୍ରାହକମାନେ ଆବଶ୍ୟକତା ଅନୁଯାୟୀ ନିଜ ଶକ୍ତିମୁତାବକ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ବଜାରରେ ମିଳୁଥିବା ବିଭିନ୍ନ ଫଳ ମଧ୍ୟରୁ ଜାମୁକୋଳି ଅନ୍ୟତମ । ଏହି ଋତୁକାଳୀନ ଫଳ ଜାମୁକୋଳି ଦେଖିବାକୁ ଯେତିକି ଆକର୍ଷଣୀୟ ଏହାର ଖଟାମିଠା ସ୍ୱାଦ ମଧ୍ୟ ଶରୀର ପାଇଁ ସେତିକି ଉପକାରୀ । ଏହି ଜାମୁକୋଳିିରୁ ମିଳୁଥିବା ମିନେରାଲ୍‍ ଶରୀର ପାଇଁ ଲାଭଦାୟ ହେବା ସହ ଅନେକ ପ୍ରକାର ରୋଗରୁ ରକ୍ଷା ଦେଇଥାଏ । ଜାମୁକୋଳି ଭଳି ତାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବେଶ୍‍ ଉପଯୋଗୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ରକ୍ତଚାପ, ମଧୁମେହ, ପେଟରୋଗ କ୍ଷେତ୍ରରେ ଏହି ଜାମୁକୋଳି ମହୌଷଧି ସଦୃଶ ହୋଇଥିବା ବେଳେ ଏହା ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହୋଇଥାଏ । ବଜାରରେ ବିକ୍ରୀ ହେଉଥିବା ଏହି ଋତୁକାଳୀନ ଫଳ ଜାମୁକୋଳି ଖାଇଲେ ଏହା ସ୍ୱାସ୍ଥ୍ୟ ପ୍ରତି କେତେ ଉପକାର ସେ ସଂପର୍କରେ ବହୁ ଜନସାଧାରଣ ସଚେତନ ଥିବାରୁ ଉଠା ଦୋକାନୀମାନେ ପସରା ପକାଇବା କ୍ଷଣି ଲୋକେ ଆଗ୍ରହର ସହକାରେ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଜାମୁକୋଳି ଉତ୍ପାଦନ ହେଉନଥିଲେ ମଧ୍ୟ ରାଜ୍ୟର କେତେକ ଅଞ୍ଚଳରୁ ବହୁ ବ୍ୟବସାୟୀ ବିଭିନ୍ନ ସମୟରେ ଜାମୁକୋଳି ଆଣି ରାସ୍ତାକଡରେ ପସରା ପକାଇ ବିକ୍ରୀ କରୁଥିବା ବେଳେ ଏହାର ଯଥେଷ୍ଟ ଚାହିଦା ଥିବା ଦେଖିବାକୁ ମିଳୁଛି । ଜାମୁକୋଳି ଖାଇବା ଦ୍ୱାରା ହିମୋଗ୍ଳୋବିନ୍‍ ବୃଦ୍ଧି ପାଇଥାଏ ଓ ଶରୀରରେ ରକ୍ତ ସଂଚାଳନ ଠିକ୍‍ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିିଛି । ସେହିପରି ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଓଜନ ହ୍ରାସ କରିବାରେ ଏହି ଋତୁକାଳୀନ ଫଳ ଜାମୁକୋଳି ବିଶେଷ ସହାୟକ ହୋଇଥାଏ । ଜାମୁକୋଳି ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ ଚର୍ମକୁ ସତେଜ ରଖିବାରେ ବେଶ୍‍ ସହାୟକ ହୋଇଥାଏ ବୋଲି ଆସିକା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ସୂଚନା ଦେଇଛନ୍ତି । ଆସିକା ଅଞ୍ଚଳରେ ଜାମୁକୋଳିର ଦର ଆକାଶଛୁଆଁ ହୋଇଥିଲେ ମଧ୍ୟ ବହୁ ବ୍ୟକ୍ତି ନିଜ ଶକ୍ତି ଅନୁଯାୟୀ ଜାମୁକୋଳି କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରକୁ ଅଧିକ ଜାମୁକୋଳି ଆମଦାନୀ ହେଉନଥିବାରୁ ଦର ଉଚ୍ଚା ରହୁଥିବା ଜଣାପଡିଛି । ବହୁ ବ୍ୟକ୍ତି ଏହି ଜାମୁକୋଳିକୁ ଖାଇବା ସହ ଏହାର ମଂଜିକୁ ମଧ୍ୟ ସଂଗ୍ରହ କରିରଖି ଖରାରେ ଶୁଖାଇ ଗୁଣ୍ଡ କରି ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଖାଉଥିବା ଦେଖିବାକୁ ମିଳୁଛି । ଜାମୁକୋଳି ମଂଜିରେ ମଧୁମେହ ରୋଗ ପ୍ରତିଷେଧକ ଶକ୍ତି ରହିଥିବା ଜଣାପଡିଛି । ସେଥିପାଇଁ ଲୋକଙ୍କ ମଧ୍ୟରେ ଏହି ଜାମୁକୋଳିକୁ ନେଇ ଅଧିକ ଚାହିଦା ରହିଥିବା ପରିଲକ୍ଷିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଋତୁକାଳୀନ ଫଳ ଜାମୁକୋଳିର ଚାହିଦା ଓ ବିିକ୍ରୀବଟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ