ବୟନ ଶିଳ୍ପ ବିଭାଗର କାର୍ଯ୍ୟାଳୟ ନିର୍ମାଣ ନେଇ ଜମି ଚିହ୍ନଟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପୀନାଥପୁର ଠାରେ ସ୍ଥାନୀୟ ଅଞ୍ଚଳର ବୁଣାକାର ମାନଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଳୟ, ଗୋଦାମ ଗୃହ, କମନ ସର୍ଭିସ୍ ସେଣ୍ଟର ଏବଂ ଡ୍ରମ୍ ସେଡ୍ ନିର୍ମାଣ ନେଇ ମେ ୨୦ରେ ଜମି ଚିହ୍ନଟ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗୋପୀନାଥପୁର ପଞ୍ଚାୟତ ଅଧିନ ଗୋପୀନାଥପୁର ଓ ତାଜିପୁର ଗ୍ରାମର ୪୦ ଜଣ ଓ ସାହୁପଡା ଓ ଶ୍ରୀରାମପୁର ଗ୍ରାମର ୨୦ ଜଣ ମହିଳା ଓଡିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ମୌଳିକ ବୟନ ତାଲିମ ନେଇ ତାଲିମ ଅବଧି ମଧ୍ୟରେ ଉତ୍କୃଷ୍ଟ ମାନର ସ୍ୱଦେଶୀ ବସ୍ତ୍ର ଉତ୍ପାଦନ କରି ପ୍ରଶଂସାର ପାତ୍ର ହୋଇପାରିଥିଲେ । ସ୍ୱେଚ୍ଛାସେବୀ ସଙ୍ଗଠନ ଲୋକଶକ୍ତିର ପ୍ରଚେଷ୍ଟା ଓ ସ୍ଥାନୀୟ ତନ୍ତୁବାୟ ସହଯୋଗ ସମିତି ଜରିଆରେ ଓଡିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ଗତ ୨୦୨୫ ସେପ୍ଟେମ୍ବର ୧୯ରୁ ୨୦୨୬ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଏହି ୬ ମାସିଆ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିରକୁ ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏ ପରିଦର୍ଶନରେ ଆସି ତାଲିମଧାରୀ ବୁଣାକାର ମାନଙ୍କର ଉତ୍କର୍ଷତା ଦେଖି ଅଭିଭୂତ ହୋଇଥିଲେ । ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଙ୍ଗଠକ, ବୟନ ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ମହିଳା ବୁଣାକାର ମାନଙ୍କର ସୁବିଧା ପାଇଁ ଗୋପୀନାଥପୁର ଠାରେ ଅଫିସ, ଗୋଦାମ ଗୃହ, କମନ ସର୍ଭିସ ସେଣ୍ଟର ଏବଂ ଡ୍ରମ ସେଡ୍ ନିର୍ମାଣ ପାଇଁ ଉପଯୁକ୍ତ ସରକାରୀ ଜମି ବୟନ ଶିଳ୍ପ ବିଭାଗକୁ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ବାଲେଶ୍ୱର ବୟନ ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠି ନଂ-୯୫୪/ତା-୨୬-୩-୨୦୨୬ ରିଖରେ ବନ୍ତ ତହସିଲଦାରଙ୍କୁ ଗୋପୀନାଥପୁର ଠାରେ ଜମି ଯୋଗାଇ ଦେବାକୁ ଅନୁରୋଧ କରିବା ସହ ଏହାର ଅବିକଳ ନକଲ ଭଦ୍ରକ ଜିଲାପାଳ ଓ ଓଡିଶା ସରକାରଙ୍କ ବୟନ ଶିଳ୍ପ ବିଭାଗର ନିର୍ଦ୍ଦେଶଙ୍କୁ ପ୍ରେରଣ କରାଯାଇଥିଲା । ଗତ ମେ ୨୦ରେ ବନ୍ତ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆଗରପଡା ରାଜସ୍ୱ ନୀରିକ୍ଷକ ସଞ୍ଜୟ କୁମାର ଟୁଡୁ ବୟନ ଶିଳ୍ପ ବିଭାଗର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଗୃହ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି । ଏସମ୍ପର୍କରେ ଜିଲାପାଳ ଏବଂ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର କମିସନର ତଥା ଶାସନ ସଚିବଙ୍କ ପ୍ରତ୍ୟେକ୍ଷ ଭାବେ ଅବଗତ ଥିବା ବେଳେ ଯଥାଶିଘ୍ର ବୟନ ଶିଳ୍ପ ବିଭାଗର ପ୍ରକଳ୍ପ ମଞ୍ଜୁର ପାଇଁ ଜମି ହସ୍ତାନ୍ତର କରିବାକୁ ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ଜନପ୍ରତିନିଧି, ତନ୍ତୁବାୟ ସହଯୋଗ ସମିତି, ସ୍ୱେଚ୍ଛାସେବୀ ତାଲିମପ୍ରାପ୍ତ ବୁଣାକାର ମାନେ ଜିଲାପାଳ ଓ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି ।


