ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଯୋଡି ସଚେତ-ପରମ୍ପରା ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ । ସେମାନଙ୍କର ଶକ୍ତିଶାଳୀ ‘ଶିବ ତାଣ୍ଡବ ସ୍ତୋତ୍ରମ୍’, ‘ହର ହର ଶମ୍ଭୁ’ ଓ ଫିଲ୍ମ ‘ଆଦିପୁରୁଷ’ର ‘ରାମ ସିୟା ରାମ’ ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଓଲିଉଡ଼ ଷ୍ଟାର୍ ଶୈଳେନ୍ଦ୍ରଙ୍କ ଫିଲ ମାଇ ଲଭ ସଙ୍ଗୀତ ସହିତ ‘ପାଗଳ ପ୍ରେମୀ’, ଚିକିନି ଚିକିନି, ଦିଲକି ରାନୀ, ‘ଟୋକା ସେଲିବ୍ରିଟି’ ଆଦି ଗୀତରେ ଜବରଦସ୍ତ ପରଫର୍ମାନ୍ସ ଦେଇଥିଲେ। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା ଶରବଣା ବିବେକ ଏମ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବି. ସି., ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କେରକେଟା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଆଇ ଏ ଏସ ଶିକ୍ଷାନବୀସ ସୁଶ୍ରୀ ସାରାନ୍ୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଂଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଏହି ଅବସରରେ ଛତ୍ରପୁର ସରକାରୀ ଉପଖଣ୍ଡ ମେଡିକାଲର ଅଧିକ୍ଷିକ ଡ଼ା ଅଲେଖ ପ୍ରଧାନ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡ଼ା ସ୍ୱାଧୀନ ରଥ, ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡ଼ା ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ସହିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛତ୍ରପୁର ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ଓ ଜାତୀୟସ୍ତରର କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଛତ୍ରପୁର ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ସହିତ ଏମ୍. ଏସ୍ ଦାସକାଠିଆ ଦଳ ସଡଙ୍ଗିପଲ୍ଲୀର ଦାସକାଠିଆ, ସାଇ ଶ୍ରୀ ନୃତ୍ୟାୟନ ଛତ୍ରପୁରର ରାଜସ୍ଥାନୀ, ପ୍ରଗତି କଳା କେନ୍ଦ୍ର ଛତ୍ରପୁରର ଗୋଧା ନାଚ, ନିୟୁ ଟ୍ୟାଲେଣ୍ଟ ଡ୍ୟାନ୍ସ ଏକାଡେମୀର ଆଧୁନିକ ନୃତ୍ୟ, ଅଙ୍ଗହାର ନୃତ୍ୟାୟନ ବ୍ରହ୍ମପୁରର ଆଦିବାସୀ ନୃତ୍ୟ, ଡି.ଏସ୍.ଆର୍ କଲ୍ଚରାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ଛତ୍ରପୁରର ଆଧୁନିକ ନୃତ୍ୟ, ଓଡ଼ିଶୀ ନୃତ୍ୟାୟନ ବ୍ରହ୍ମପୁରର ମାହାରୀ ନୃତ୍ୟ , ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ଛତ୍ରପୁରର ଆଧୁନିକ ନୃତ୍ୟ, ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲ୍ଚର ଛତ୍ରପୁରର ମଣିଷ ବାଘ ନାଚ, ଏକ ତାରା କଳା କେନ୍ଦ୍ର ଟିଟିଲାଗଡ଼ର ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଶୁକ୍ରବାର ପଞ୍ଚମ ତଥା ଶେଷ ସନ୍ଧ୍ୟା ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ, ପ୍ରଜ୍ଞା ହୋତା, ସଚିନ ରାଉତ ଓ ଆର ଡି ଏକ୍ସ ଡ୍ୟାନ୍ସ ଗ୍ରୁପ ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନମାନେ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିବେ ।


