ଏସଆଇଆର-୨୦୨୬: ପଦଯାତ୍ରା ମାଧ୍ୟମରେ ମତଦାତାଙ୍କୁ ସଚେତନ କଲେ ଉପଜିଲ୍ଲାପାଳ
କଟକ(ଓ୍ବାଇଏନଏସ) : ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର)-୨୦୨୬ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ମତଦାତା ଅଂଶଗ୍ରହଣ କରନ୍ତୁ ଏହି ଉଦ୍ଦେଶ୍ୟ ନେଇ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଟକ ସଦର ଉପଜିଲ୍ଲାପାଳ ତଥା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଏହି ସଚେତନତା ପଦଯାତ୍ରାକୁ ଉଦ୍ଘାଟନ କରି ନାଗରିକମାନଙ୍କୁ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବା ସହ ବିଏଲଓମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରି ଏକ ନିର୍ଭୁଲ ମତଦାତା ତାଲିକା ପ୍ରସ୍ତୁତିରେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ । ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ହାଇକୋର୍ଟ ଗଡ଼ା, ନିମଚୌରୀ ଆଦି ଅଞ୍ଚଳ ପରିକ୍ରମା କରିଥିଲା । ସହକାରୀ ପଞ୍ଜୀକରଣ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ),ସୁପରଭାଇଜର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏସ.ଆଇ.ଆର କାର୍ଯ୍ୟକ୍ରମର ଗୁରୁତ୍ୱ ଏବଂ ମତଦାତା ତାଲିକାରେ ସଠିକ୍ ତଥ୍ୟ ଅନ୍ତର୍ଭୁକ୍ତିର ଆବଶ୍ୟକତା ସମ୍ପର୍କରେ ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏଥି ସହ ଜୁନ ୨ ତାରିଖରେ ଶୁଭାରମ୍ଭ କରାଯାଇଥିବା ସଚେତନତା ରଥ ବାରବାଟୀର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ମତଦାତା ମାନଙ୍କୁ ଏସ.ଆଇ.ଆର ର ଗୁରୁତ୍ଵ ସମ୍ପର୍କରେ ସଚେତନ କରୁଛି ।


