ଦେଶୀ ଓ ବିଦେଶୀ ମଦ ଜବତ :୪ ଗିରଫ
ବାଲେଶ୍ବର (ସରୋଜ ପଣ୍ଡା): ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀମତୀ ସ୍ୱପ୍ନାରାଣୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଓ ଜଳେଶ୍ୱର ଉପ-ଅଧିକ୍ଷକ ଶ୍ରୀ ଶଶୀକାନ୍ତ ଦତ୍ତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ଭବେଶ ଦାସ ଓ ଜଳେଶ୍ୱର ଅବକାରୀ ନିରୀକ୍ଷକ ଶ୍ରୀ ଦେବେନ୍ଦ୍ର ବେହେରା, ଏ.ପି.ଆର ଫୋର୍ସ ଓ ଅବକାରୀ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବସ୍ତା ଥାନା ଅନ୍ତର୍ଗତ ବୀଣାପୁର ଓ ଜଳେଶ୍ୱର ଥାନା ଅନ୍ତର୍ଗତ ଡିଙ୍ଗସୁଳା ଏବଂ ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଲକ ଗ୍ରାମରେ ଚଢ଼ାଉ କରାଯାଇ ୬୨୦୦ ଲିଟର ଦେଶୀ ମଦ, ୯୩.୭୫୦ ଲିଟର ବିଦେଶୀ ମଦ, ୧୧୭ ଲିଟର ବିଅର, ୧୦୦ ଲିଟର ସ୍ପିରିଟ, ୫୦୦ ମି.ଲି କାରାମେଲ, ଗୋଟିଏ କିଆ ସୋନେଟ କାର ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଆସାମୀ ମାନେ ହେଲେ ବୀଣାପୁର ଗ୍ରାମର ମନୋରଞ୍ଜନ ମହାଳିକ, ଭୋଗରାଇ ଲକ ଗ୍ରାମର ସଞ୍ଜୟ ଦାସ, ଜାମପୁର ଗ୍ରାମର ଶଶାଙ୍କ ଜେନା ଓ ହରେନ୍ଦ୍ର ଜେନା l ଜବତ ମଦ, ସ୍ପିରିଟ, କାର ଓ ମୋଟର ସାଇକେଲ ର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବସ୍ତା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ଭିତିରିଆ, ସହ ଉପ-ନିରୀକ୍ଷକ ଲମ୍ବୋଦର ମହନ୍ତ, ଅନିକ ସାଠୁଆ ଓ ତପସ୍ୱିନୀ ବଇଠା, କନେଷ୍ଟବଳ ସେକ କରିମ, ସୁବୀରକାନ୍ତ ବେହେରା, ପଙ୍କଜ ମହାନ୍ତି, ନହାନ ମୁର୍ମୁ ପ୍ରଭୂତି ଷ୍ଟାଫ୍ ସାମିଲ ଥିଲେ । ଏନେଇ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ଜଳେଶ୍ୱର ଅବକାରୀ ଥାନା ପକ୍ଷରୁ ମୋଟ ୦୪ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।


