ଇଣ୍ଡିଆନ୍‍ ବ୍ୟାଙ୍କର ଆସିକା ଶାଖା ଉଦ୍‍ଘାଟିତ

ଆସିକା  (ୱାଇଏନ୍‍ଏସ୍‍) : ଭାରତବର୍ଷର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ହାତପାହାନ୍ତାରେ ଉନ୍ନତମାନର ବ୍ୟାଙ୍କ ସେବା ଯୋଗାଇଦେବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଇଣ୍ଡିଆନ୍‍ ବ୍ୟାଙ୍କର ଆସିକା ଶାଖା ଶନିବାର ବସଷ୍ଟାଣ୍ଡ କଳିଙ୍ଗ ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଉଦ୍‍ଘାଟିତ ହୋଇଯାଇଛି । ଇଣ୍ଡିଆନ୍‍ ବ୍ୟାଙ୍କ ଆସିକା ଶାଖା ପରିଚାଳକ କେ.ରାଜକୁମାର ପାତ୍ରଙ୍କ ସଂଯୋଜନାରେ ଇଣ୍ଡିଆନ୍‍ ବ୍ୟାଙ୍କର ନୂତନ ଭାବେ ଖୋଲିଥିବା ଆସିକା ଶାଖାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର କ୍ଷେତ୍ରୀୟ ମହାପ୍ରବନ୍ଧକ ଶ୍ରୀମତୀ ଏସ୍‍.କନକ ଉଦ୍‍ଘାଟକ ରୂପେ ଯୋଗଦେଇ ଶାଖାକୁ ଲୋକାର୍ପଣ କରିଥିଲେ । ଇଣ୍ଡିଆନ୍‍ ବ୍ୟାଙ୍କର ଆସିକା ଶାଖା ବ୍ରହ୍ମପୁର ଜୋନ୍‍ର ୪୩ ତମ ଶାଖା ହୋଇଥିଲା ବେଳେ ସମଗ୍ର ଭାରତବର୍ଷର ୬୦୦୩ ତମ ଶାଖା ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍‍ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ ମହାପ୍ରବନ୍ଧକ ଏସ୍‍.କନକ, ଆଞ୍ଚଳିକ ପ୍ରବନ୍ଧକ ଧର୍ମେନ୍ଦ୍ର ପ୍ରତାପ ପରମାର୍‍, ଉପ ଆଞ୍ଚଳିକ ପ୍ରବନ୍ଧକ ପ୍ରିୟଦର୍ଶନ ମିଶ୍ରଙ୍କ ସମେତ ଇଣ୍ଡିଆନ୍‍ ବ୍ୟାଙ୍କର ବିଭିନ୍ନ ଶାଖାର ପଦାଧିକାରୀମାନେ ଯୋଗଦେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଇଣ୍ଡିଆନ୍‍ ବ୍ୟାଙ୍କର ଆସିକା ଶାଖାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ତଥା ଯୁବ ଆଇନଜୀବୀ ରାଘବ କୁମାର ନାହାକ, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ସନାତନ ପଣ୍ଡା, ଆସିକା ଔଷଧ ବ୍ୟବସାୟୀ ସଂଘର ସଭାପତି କେ.ଗୋପାଳକୃଷ୍ଣ ସେନାପତି ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସୂର୍ଯ୍ୟ ନାରାୟଣ ଶତପଥୀ, ବରିଷ୍ଠ ଔଷଧ ବ୍ୟବସାୟୀ ଏଲ୍‍.ଲକ୍ଷ୍ମୀକାନ୍ତ ପାତ୍ର, କେ.କ୍ଷିରାବ୍ଦୀ ପାତ୍ର, ଆସିକା ବଣିକ ସଂଘର ସଭାପତି ୟୁ.ସଂଜୟ କୁମାର ପାତ୍ର, ସଂପାଦକ କେ.ସତ୍ୟନାରାୟଣ ପାତ୍ର, ଯୁଗ୍ମ ସଂପାଦକ ପି.ରାଜା ପାତ୍ରଙ୍କ ସମେତ ବହୁ ସଚେତନ ନାଗରିକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକାରେ ଇଣ୍ଡିଆନ୍‍ ବ୍ୟାଙ୍କର ଏକ ଶାଖା ଖୋଲିବା ଲାଗି ଗତ ୨୦୨୧ ମସିହା ଡିସେମ୍ବର ମାସ ୧୬ ତାରିଖରେ ତତ୍କାଳୀନ ଆସିକା ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ