ଆଜି ଜାତୀୟ କର୍କଟ ସର୍ଭାଇଭର୍ସ ଦିବସ
ଆସିକା (ୱାଇଏନ୍ଏସ୍): ଆଜି ଅର୍ଥାତ୍ ଜୁନ୍ ମାସ ପ୍ରଥମ ରବିବାରରେ ପାଳିତ ହୋଇଥାଏ ଜାତୀୟ କର୍କଟ ସର୍ଭାଇଭର୍ସ ଦିବସ । କର୍କଟ ସହ ଲଢି ଜୀବନ ଯୁଦ୍ଧରେ ବିଜୟୀ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରତ୍ୟେକ କର୍କଟ ବିଜୟୀଙ୍କ ଦୃଢ ମନୋବଳ ଓ ସାହସକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଜାତୀୟ କର୍କଟ ସର୍ଭାଇଭର୍ସ ଦିବସ ରୂପେ ପାଳନ କରାଯାଇଆସୁଛି । ଜାତୀୟ କର୍କଟ ସର୍ଭାଇଭର୍ସ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କର୍କଟ ରୋଗର ଲକ୍ଷଣ ଦେଖାଦିଏ ତାହାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ସହ ସଠିକ୍ ସମୟରେ ଏହି ରୋଗ ଚିହ୍ନଟ ହୋଇପାରିଲେ ରୋଗକୁ ପରାସ୍ତ କରାଯାଇପାରିବ ଏବଂ ମନୋବଳ ଦୃଢ ରହିଲେ କର୍କଟକୁ ଜିତିବା ସମ୍ଭାବନା ଅଧିକ । ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏଥିଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି କର୍କଟ ହେବା କଥା ଶୁଣିବା ମାତ୍ରେ ମାନସିକ ସ୍ତରରେ ରୋଗୀ ପ୍ରାୟତଃ ଦୁର୍ବଳ ହୋଇପଡୁଛି । ତେଣୁ ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଆରମ୍ଭ କରିବା ସାଙ୍ଗକୁ ରୋଗୀର ମନୋବଳ ଦୃଢ ହେଲେ କର୍କଟକୁ ପରାଜିତ କରାଯାଇପାରିବ । ସାଂପ୍ରତିକ ପରିସ୍ଥିତିରେ ଅତ୍ୟାଧୁନିକ ଚିକିତ୍ସା ଶୈଳୀରେ କର୍କଟର ମଧ୍ୟ ସଫଳ ଚିକିତ୍ସା ହୋଇପାରୁଛି ଏବଂ ରୋଗୀ ସଂପୁର୍ଣ୍ଣ ସୁସ୍ଥ ଜୀବନଯାପନ କରିପାରୁଛନ୍ତି । ବିଗତ କିଛି ବର୍ଷ ହେଲା ସ୍ତନ ଓ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଅତ୍ୟଧିକ ନିଶାସେବନ ସହ ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଖାଦ୍ୟପଦାର୍ଥରେ ରାସାୟନିକ ପଦାର୍ଥର ବ୍ୟବହାର ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ଏଥିରୁ ଦୂରେଇ ରହିବା ପାଇଁ ସୁନିଦ୍ରା ସାଙ୍ଗକୁ ସନ୍ତୁଳିତ ଆହାର ଗ୍ରହଣ, ପ୍ରତିଦିନ ଯୋଗ ଓ ପ୍ରାଣାୟମ ଏବଂ ବ୍ୟାୟାମ କରିବା, ସ୍ୱାସ୍ଥ୍ୟାକର ଖାଦ୍ୟାଭ୍ୟାସ ଜାରି ରଖିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ନିତାନ୍ତ ଆବଶ୍ୟକ । ଜାତୀୟ କର୍କଟ ସର୍ଭାଇଭର୍ସ ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


