ଶିଖରଘାଟ ରାସ୍ତାକୁ ରାଜ୍ୟ ରାଜପଥରେ କରିବାକୁ ଜିଲ୍ଲାପାଳଙ୍କୁ ଆବେଦନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିଭଉଁରୀରୁ ବିନିଶପୁର ଭାୟା ଶିଖରଘାଟ ରାସ୍ତାକୁ ରାଜ୍ୟ ରାଜପଥ କରିବାକୁ ନାଉଗାଁ ବ୍ଳକ ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ନିରଞ୍ଜନ ପରିଡାଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ଏହି ରାସ୍ତାଟି ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ଅଟେ। କିଛି ବର୍ଷ ପୂର୍ବେ ଏହି ରାସ୍ତାକୁ ସିଧା କରାଯାଇ ପୁରୀ-ପାରାଦୀପ ରାସ୍ତା ନିର୍ମାଣ କରିବା ପାଇଁ ସର୍ଭେ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇ ନାହିଁ। ଶିଖରଘାଟ ସେତୁ ନିର୍ମାଣ ପରେ ଏହି ରାସ୍ତାଟି ପୁରୀ,ପାରାଦୀପ,ଜଗତସିଂହପୁର,କଟକ,ଭୁବନେଶ୍ୱର ଆଦି ସ୍ଥାନକୁ ସଂଯୋଗ କରୁଅଛି। ପୁରୀ ଜିଲାରେ ଅନେକ ତିର୍ଥ ସ୍ଥାନ ଯଥା ଶ୍ରୀକ୍ଷେତ୍ର ପୁରୀ ,କାକାଟପୁର ମା ମଙ୍ଗଳା,ଗାରୋଇ ଗୋବର୍ଦ୍ଧନ ପୀଠ ରହିଥିବା ବେଳେ ଅନେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ରହିଛି। ପ୍ରତ୍ୟେହ ଏହି ସବୁ ସ୍ଥାନକୁ ଯାତ୍ରିବାହୀ, ମାଲବାହୀ ଗାଡି ଏହି ରାସ୍ତା ଦେଇ ଯିବା ଆସିବା କରିଥାଏ। ରାସ୍ତାଟିର ଅନେକ ସ୍ଥାନରେ ଅଙ୍କା ବଙ୍କା ଓ ସଂକୀର୍ଣ୍ଣ ହୋଇଥିବାରୁ ବହୁୁ ସମୟରେ ଯାନବାହାନ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ଏପରିକି ଅଙ୍କା ବଙ୍କା ରାସ୍ତା ଯୋଗୁ ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟିଥାଏ। ତେଣୁ ଉକ୍ତ ରାସ୍ତାକୁ ରାଜ୍ୟ ରାଜପଥରେ ନିର୍ମାଣ କରିବାକୁ ସୁରକ୍ଷା କମିଟିର ସଭାପତି ବଂଶୀଧର ବେହେରା, ସମ୍ପାଦକ ସୁବାସ ସ୍ୱାଇଁ, ବିଜୟ କୁମାର ଦାସ, ଟୁକୁନା ଭୋଇ, ବାବୁରାମ ସ୍ୱାଇଁ, ପ୍ରତିମା ଦାସ, ନୃସିଂହ କାଣ୍ଡୀ, ସନ୍ତୋଷ ମହାନ୍ତି, ଛବିନ୍ଦ୍ର ଭୋଇ, ଲଲାଟେନ୍ଦୁ ପଟ୍ଟନାୟକ, ଦିଲ୍ଲିପ କୁମାର ପାଢୀ, ଗଣେଶ ନାୟକ ପ୍ରମୁଖ ଦାବି କରିଛନ୍ତି। ଏବିଷୟରେ ବିଡିଓ ନିରଞ୍ଜନ ପରିଡାଙ୍କୁ ପଚାରିବାରେ ଅଭିଯୋଗକୁ ଜିୁଲାପାଳଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ