:ଗାଈକୁ ଦିଆଯାଉଛି ସର୍ଟେଡ୍ ସିମେନ୍, ଜନ୍ମ ହେଉଛନ୍ତି ମାଈ ବାଛୁରୀ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଗତ ୨୦୨୨ ମସିହା ଡିସେମ୍ବର ମାସରୁ ପୃଥକୀକୃôତ ଶୁକ୍ରାଣୁ (ସର୍ଟେଡ୍ ସିମେନ୍) କୃତ୍ରିମ ପ୍ରଜନନ ଆରମ୍ଭ ହୋଇସାରିଥିବା ବେଳେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା ଓ ସହକାରୀ ପ୍ରାଣୀ ଚିକତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରାଣୀଧନ ନୀରିକ୍ଷକ ପ୍ରିୟଞ୍ଜନ କହଁର, ସୁଦର୍ଶନ ନାୟକ, ସୁଶାନ୍ତ କୁମାର ଡାକୁଆ, ସସ୍ମିତା ପଣ୍ଡା, ଆଲୋକ କୁମାର ପାତ୍ର, ସ୍ମୃତିରଂଜନ ବିଶ୍ୱାଳଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଆସିକା ପୌର ପରିଷଦ ଅଞ୍ଚଳ ସମେତ ସିଦ୍ଧନଇ, ଗୁଣ୍ଠପଡା, ନିମିନା, ନଳବଣ୍ଟା, ବାଲିସିରା, ଗହଙ୍ଗୁ, ବାବନପୁର, ପାଣ୍ଡିଆପଥର, ହରିଡାପଦର, ଖୁକୁଣ୍ଡିଆ, ବାଲିଛାଇ ପ୍ରାଣୀଧନ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଆସିକା ବ୍ଳକ ପରିସରଭୁକ୍ତ ସମସ୍ତ ଅଞ୍ଚଳରେ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ବିଗତ କିଛି ବର୍ଷ ହେଲା ଚାଷକାର୍ଯ୍ୟରେ ଟ୍ରାକ୍ଟରର ବହୁଳ ବ୍ୟବହାର ଯୋଗୁୂଁ ଅଧିକାଂଶ ଚାଷୀ ଆଉ ଅଣ୍ଡିରା ବାଛୁରୀକୁ ବଳଦ ଭାବେ ବ୍ୟବହାର କରୁନାହାନ୍ତି । ଯାହାରି ଫଳରେ ଷଣ୍ଢଙ୍କ ସଂଖ୍ୟା ଆଶାତୀତ ଭାବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସହର ତଥା ଏହାର ଆଖପାଖ ଅଧିକାଂଶ ଅଞ୍ଚଳର ରାସ୍ତାଘାଟରେ ବୁଲା ଷଣ୍ଢଙ୍କ ଅବାଧ ବିଚରଣ ଦେଖିବାକୁ ମିଳୁଛି । ଏଭଳି ଅଭାବନୀୟ ସ୍ଥିତି ଓ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଂଶସା କରାଯାଉଥିବା ଦେଖିବାକୁ ମିଳୁଛି । ଅଣ୍ଡିରା ବାଛୁରୀଙ୍କ ତୁଳନାରେ ମାଈ ବାଛୁରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ସର୍ଟେଡ୍ ସିମେନ୍ (ପୃଥକୀକୃତ ଶୁକ୍ରାଣୁ) ପ୍ରାଣୀସଂପଦ ବିଭାଗ ପକ୍ଷରୁ ଉପଯୋଗ କରାଯାଉଛି । ଗୋପାଳନ କରୁଥିବା ଚାଷୀ ଓ ସାଧାରଣ ଲୋକେ ଘରେ ଗାଈ ଲାଳନପାଳନ କରୁଥିବା ବେଳେ ମାଈ ବାଛୁରୀ ଜନ୍ମ ହେଲେ ତାକୁ ଘରେ ରଖି ଦୁଗ୍ଧ ଚାଷକୁ ବୃଦ୍ଧି କରିଥାନ୍ତି । ଅତୀତରେ ଅଣ୍ଡିରା ବାଛୁରୀ ଜନ୍ମ ହେଲେ ଡାକ୍ତର ପଦ୍ଧତିରେ ତାକୁ ବଳଦ କରିଦିଆଯାଉଥିଲା । ମାତ୍ର ଏହି ବଳଦ ବିଲରେ ଚାଷକାମରେ ଚାଷୀଙ୍କୁ ସହଯୋଗ କରୁଥିଲା । ଖୁବ୍ କମ୍ ସଂଖ୍ୟକ ଗୋପାଳକ ଓ ଘରୋଇ ଲୋକ ମାନସିକ ଉଦ୍ଦେଶ୍ୟରେ ଅଣ୍ଡିରା ବାଛୁରୀକୁ ଷଣ୍ଢ କରି ଛାଡି ଦେଇଥାନ୍ତି । ପରେ ଏହି ଷଣ୍ଢ ଗୋବଂଶ ବୃଦ୍ଧିରେ କେତେକ ପରିମାଣରେ ସହାୟତା ହୋଇଥାଏ । ମାତ୍ର କିଛି ବର୍ଷ ହେଲା ଜମିବାଡି କାମରେ ଟ୍ରାକ୍ଟରର ବହୁଳ ବ୍ୟବହାର ବୃଦ୍ଧି ପାଇଛି । କମ୍ ଖର୍ଚ୍ଚ ଓ ସହଜ ଚାଷ ପାଇଁ ଆଉ ଅଧିକାଂଶ ଚାଷୀ ବଳଦ ସହାୟତାରେ ହଳଲଂଗଳ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ବଳଦ ପାଳିବାକୁ ପୂର୍ବଭଳି ଚାଷୀ ଇଛୁକ ନଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଅଣ୍ଡିରା ବାଛୁରୀଙ୍କ ସଂଖ୍ୟା କମାଇବା ଓ ଗୋସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଦୀର୍ଘମିଆଦି ଭାବେ ଗତ ୨୦୨୨ ମସିହା ଡିସେମ୍ବର ମାସ ଠାରୁ ମାଈ ଛୁଆ ଜନ୍ମ ପାଇଁ କୃତ୍ରିମ ଉପାୟରେ ନିଆଯାଉଥିବା ଶୁକ୍ରାଣୁରେ ବିଶେଷ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳୁଛି । ପୁନେ ଓ ଗୁଜରାଟରେ ପ୍ରସ୍ତୁତ ହେଉଥିବା ଏହି ସର୍ଟେଡ୍ ସିମେନ୍ ବା ପୃଥକୀତ୍କୃତ ଶୁକ୍ରାଣୁ ଆଣି ଗାଈକୁ ଦିଆଯାଉଛି । ଏହି ଶୁକ୍ରାଣୁରେ ମାଈ ବାଛୁରୀ ଜନ୍ମ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଗତ ମେ ମାସ ଶେଷ ସୁଦ୍ଧା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୪୪୦ଟି ଗାଈକୁ ଏହି ଯୋଜନା ମାଧ୍ୟମରେ ପୃଥକୀକୃତ ଶୁକ୍ରାଣୁ ଦିଆଯାଇ ସାରିଥିବା ବେଳେ ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୨୦ ରୁ ଉର୍ଦ୍ଧ୍ୱ ମାଈ ବାଛୁରୀ ଜନ୍ôମଗ୍ରହଣ କରିଥିବା ଜଣାପଡିଛି । ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ମାଈ ବାଛୁରୀ ପାଳନ ଯୋଜନାରେ ୫୦ ପ୍ରତିଶତ ରିହାତିରେ ଯୋଗ୍ୟ ବିବେଚିତ ଗୋପାଳକଙ୍କୁ ୨ଟି ପର୍ଯ୍ୟାୟରେ ବାଛୁରୀ ଦାନା ପ୍ରଦାନ କରାଯାଇଥିବା ଜଣାପଡିଛି । ସର୍ଟେଡ୍ ସିମେନ୍ (ପୃଥକୀକୃତ ଶୁକ୍ରାଣୁ) ମାଧ୍ୟମରେ ଗର୍ଭଧାରଣ କରିଥିବା ଅନ୍ୟ ଗାଈମାନେ ବି ଆଗାମୀ ଦିନରେ ମାଈ ବାଛୁରୀ ଜନ୍ମ କରିବେ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ଆକ୍ସିଲେରେଟେଡ୍ ବ୍ରିଡ୍ ଇମ୍ପ୍ରୁଭ୍ମେଣ୍ଟ କାର୍ଯ୍ୟକ୍ରମ ଜରିଆରେ ଗତ ୨୦୨୨ ମସିହାରୁ ସର୍ଟେଡ୍ ସିମେନ୍ ତ୍କୃତ୍ରିମ ପ୍ରଜନନ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ ପ୍ରାଣୀସଂପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆସିକାରେ ପ୍ରାୟ ୬୦ ପ୍ରତିଶତ ସଫଳତା ପାଇଥିବା ଜଣାପଡିଛି ।


