ଅନିଲ୍ ସ୍ୱାଇଁଙ୍କୁ ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଦାୟିତ୍ୱ
ଆସିକା (ୱାଇଏନ୍ଏସ୍) : ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଓ ବିଜେପି ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର) ର ସଭାପତିଙ୍କ ଅନୁମୋଦନକ୍ରମେ ଯୁବମୋର୍ଚ୍ଚାର ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି ଜନତା ଯୁବମୋର୍ଚ୍ଚା ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର)ର ସଭାପତି ତଥା ସୁସଂଗଠକ ଅଜିତ୍ କୁମାର ପଣ୍ଡା ଓ ଭାରତୀୟ ଜନତା ପାର୍ଟି ଆସିକା ସାଙ୍ଗଠନିକ ଜିଲ୍ଲାର ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଦସ୍ତଖତରେ ପ୍ରକାଶିତ ହୋଇଥିବା ଯୁବମୋର୍ଚ୍ଚା ଜିଲ୍ଲା ପଦାଧିକାରୀଙ୍କ ନାମତାଲିକାରେ ୫ ଜଣ ଉପସଭାପତି, ୨ ଜଣ ସାଧାରଣ ସଂପାଦକ, ୪ ଜଣ ସଂପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ଅଫିସ୍ ସଂପାଦକ, ଜଣେ ସୋସିଆଲ୍ ମିଡିଆ ଆଇଟି ସେଲ୍ର ସଦସ୍ୟ ରୂପେ ମନୋନୀତ ହୋଇଥିବା ଜଣାପଡିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣାଶୁଣା ଆଗଧାଡିର ଯୁବନେତା ସୁସଂଗଠକ ଅନିଲ୍ କୁମାର ସ୍ୱାଇଁଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର) ର ଉପସଭାପତି ଭଳି ଗୁରୁ ଦାୟିତ୍ୱରେ ନିଯୁକ୍ତି କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ସୁସଂଗଠକ ଅନିଲ୍ କୁମାର ସ୍ୱାଇଁଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର)ର ଉପସଭାପତି ଦାୟିତ୍ୱ ମିଳିବା ପରେ ଯୁବମୋର୍ଚ୍ଚା ସଂଗଠନ ଆହୁରି ସୁଦୃଢ ହୋଇପାରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଛାତ୍ର ଜୀବନରୁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ସହିତ ଜଡିତ ରହି ରାଷ୍ଟ୍ରୀୟ ବିଚାରକୁ ପାଥେୟ କରି ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଅନେକ ପଦପଦବୀରେ ରହି ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିବାରେ ନବନିଯୁକ୍ତ ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ଅନିଲ୍ କୁମାର ସ୍ୱାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣାପଡିଛି । ଭାରତୀୟ ଜନତା ଯୁବମୋର୍ଚ୍ଚା ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର) ଗଞ୍ଜାମର ଜିଲ୍ଲା ଉପସଭାପତି ରୂପେ ନିଯୁକ୍ତି ପାଇଥିବା ଅନିଲ୍ କୁମାର ସ୍ୱାଇଁ ଏହି ନିଯୁକ୍ତି ପାଇଁ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଆସିକା ବିଧାୟକ ସରୋଜ କୁମାର ପାଢୀ, ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଜିତ୍ କୁମାର ପଣ୍ଡାଙ୍କ ସମେତ ଦଳୀୟ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସାଙ୍ଗକୁ ଯୁବମୋର୍ଚ୍ଚାର ସଂଗଠନକୁ ଆହୁରି ସୁଦୃଢ କରିବା ସହ ଯୁବଶକ୍ତିକୁ ବିକାଶର ଧାରାରେ ସାମିଲ୍ କରିବା ପାଇଁ ସହଯୋଗ ଓ ମାର୍ଗଦର୍ଶନ ଏବଂ ପ୍ରେରଣା କାମନା କରିଥିବା ଲକ୍ଷ୍ୟ କରାଯାଇଛି ।


