ଆସିକାରେ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରୀ ଚାଲିଛି ଗୁପ୍‍ଚୁପ୍‍ !

ଆସିକା  (ୱାଇଏନ୍‍ଏସ୍‍) ଗୁପ୍‍ଚୁପ୍‍ ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିଯାଇଥାଏ । ସେ ପୁଅ ହେଉ କି ଝିଅ, ଯୁବକ ହେଉକି ଯୁବତୀ, ପୁରୁଷ ହେଉକି ମହିଳା ପ୍ରାୟ ସମସ୍ତଙ୍କ ଗୁପ୍‍ଚୁପ୍‍ ପ୍ରତି ଦୁର୍ବଳତା ଥାଏ । ଯେଉଁଥି ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ମୁଖ୍ୟରାସ୍ତା କଡର ରାଜ୍ୟ ବାହାରର ବହୁ ବ୍ୟବସାୟୀ ଠେଲାଗାଡିରେ ଗୁପ୍‍ଚୁପ୍‍ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଗୁପ୍‍ଚୁପ୍‍ର ଚାହିଦାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷ ହେଲା ବିବାହ, ବ୍ରତ ସମେତ ଅନ୍ୟ କେତେକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଓ ଭୋଜିଭାତରେ ବି ଗୁପ୍‍ଚୁପ୍‍ର ପସରା ପଡୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଦୁଃଖର କଥା ଏହି ଗୁପ୍‍ଚୁପ୍‍ ବିକ୍ରୀ ସ୍ଥାନକୁ ଥରେ ଗଲେ ତାକୁ ଖାଇବାକୁ ଆଉ ମନ ବଳାଇବେ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ସହରର କେତେକ ମୁଖ୍ୟରାସ୍ତା ପାଶ୍ୱର୍ରେ ରାଜ୍ୟ ବାହାରର ବହୁ ଗୁପ୍‍ଚୁପ୍‍ ବ୍ୟବସାୟୀ ସ୍ୱଚ୍ଛତା ଭୁଲିଯାଇ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗୁପ୍‍ଚୁପ୍‍ ବିକ୍ରୀ କରୁଥିଲେ ମଧ୍ୟ ଯାଞ୍ଚ କରିବା ଦିଗରେ ପ୍ରଶାସନର ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ରାସ୍ତାକଡରେ ଠେଲାରେ ବିକ୍ରୀ ହେଉଥିବା ପାଟି ସୁଆଦିଆ ଗୁପ୍‍ଚୁପ୍‍ ଖାଇ ବହୁ ବ୍ୟକ୍ତି ନାନା ପ୍ରକାର ପେଟରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ପାଟିକୁ ସୁଆଦ ଲାଗୁଥିବା ଗୁପ୍‍ଚୁପ୍‍ର ଆଳୁଚକଟା ଓ ଖଟା ପାଣିକୁ ବାହାର ରାଜ୍ୟର କେତେକ ବ୍ୟବସାୟୀ କେଉଁ ପରିବେଶରେ ତିଆରି କରୁଛନ୍ତି ତାହା ଯାଞ୍ଚ କରିବା ଦିଗରେ କାହାର ନଜର ପଡୁନଥିବା ଅଭିଯୋଗ ହେଉଛି । ଏହା ସତ୍ତ୍ୱେ ପାଟିକୁ ସୁଆଦ ଲାଗିବା ଓ ଜିହ୍ୱାଲାଳସାରେ ବହୁ ବ୍ୟକ୍ତି ଗୁପ୍‍ଚୁପ୍‍ ପ୍ରତି ମୋହ ତୁଟାଇ ନପାରି ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ ତାହା ଖାଉଥିଲା ବେଳେ ଅସାଧୁ ଗୁପ୍‍ଚୁପ୍‍ ବିକାଳୀ ମାଲାମାଲ୍‍ ହେଉଥିବା ଚର୍ଚ୍ଚା ହେଉଛି । ଗୁପ୍‍ଚୁପ୍‍ ଖାଇବା ପାଇଁ ବିଭିନ୍ନ ସ୍କୁଲ କଲେଜ ଠାରୁ ଆରମ୍ଭ କରି ରାସ୍ତାକଡରେ ଗ୍ରାହକଙ୍କ ଭିଡ ଜମୁଛି । ଦୈନିକ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଗୁପ୍‍ଚୁପ୍‍ ବ୍ୟବସାୟ ଆସିକା ଅଞ୍ଚଳରେ ହେଉଥିବା ଆକଳନ କରାଯାଉଛି । ଓଡିଆ ବ୍ୟବସାୟୀଙ୍କ ଅପେକ୍ଷା ରାଜ୍ୟ ବାହାରର କେତେକ ବ୍ୟବସାୟୀ ଆସିକାରେ ଗୁପ୍‍ଚୁପ୍‍ ବେପାର କରିଆସୁଥିବା ଦେଖିବାକୁ ମିଳୁଛି । ବିନା ଫୁଡ୍‍ ଲାଇସେନ୍ସରେ ଗୁପ୍‍ଚୁପ୍‍ ବ୍ୟବସାୟ କରୁଥିବା ବାହାର ରାଜ୍ୟର ବ୍ୟବସାୟୀମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲଗାନଯିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ତଦନ୍ତସାପେକ୍ଷ୍ୟ । ବାସ୍ତବିକ ଭାବେ ରାସ୍ତାକଡରେ ବିକ୍ରୀ ହେଉଥିବା ଗୁପ୍‍ଚୁପ୍‍ ଓ ଖଟାପାଣି ଗୁଡିକ ସ୍ୱାସ୍ଥ୍ୟ ପ୍ରତି ଉପଯୋଗୀ କି ନାହିଁ ତାହା ଯାଞ୍ଚ କରିବା ଜରୁରୀ ହୋଇପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ଓ ବିକ୍ରୀ ହେଉଥିବା ଗୁପ୍‍ଚୁପ୍‍ର ମାନ ଯାଞ୍ଚ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ