ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଗର୍ଜିଲେ ମୋକିମ

କଟକ(ଓ୍ବାଇଏନଏସ): ରାଜ୍ୟରେ ସବୁ ଥାନା ନିଲାମ ହୋଇଛି । ଚାଲିଛି ପୋଲିସର ‘ବଟି’ ଆଦାୟ ପ୍ରତିଯୋଗିତା । ପୋଲିସର ଥାର୍ଡ ଡିଗ୍ରୀ ସୀମା ଟପିଛି । ପୋଲିସ ବିରୋଧରେ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ । ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଗୁରୁବାର କଟକ ସ୍ଥିତ ଡିଜିପି କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ହଜାର ହଜାର ଲୋକଙ୍କୁ ନେଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ। ସେ କହିଛନ୍ତି, ‘ସାରା ଓଡ଼ିଶାରେ ଏବେ ଅରାଜକତା ବ୍ୟାପିଛି । ସାଧାରଣ ଲୋକ କିମ୍ବା ମହିଳାମାନେ ଥାନା ଭିତରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ରାଜ୍ୟରେ ସବୁ ଥାନାକୁ ଏକ ପ୍ରକାର ନିଲାମ କରିଦିଆଯାଇଛି ଏବଂ କେଉଁ ଥାନାବାବୁ କେତେ ଅଧିକ ‘ବଟି’ ଆଦାୟ କରିପାରିବେ, ସେଥିପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ନିରୀହ ଜନତା ଏହି ବ୍ୟବସ୍ଥାର ଶିକାର ହେଉଛନ୍ତି।’ ମୋକିମ ନିଜ ଅଭିଯୋଗରେ ବାରଙ୍ଗ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ଘଟିଥିବା ପୁଲିସ ଜୁଲମ ଏବଂ କମିଶନରେଟ୍ ପୁଲିସର ନିଷ୍କ୍ରିୟତା ପ୍ରସଙ୍ଗ ଉଠାଇଛନ୍ତି। ସେହିପରି ସିଜିମାଳି ଓ କୁଟୁରୁମାଳି ଅଞ୍ଚଳରେ ପୁଞ୍ଜିପତିଙ୍କୁ ଫାଇଦା ପହଞ୍ଚାଇବା ପାଇଁ ପୁଲିସ ନିରୀହ ଆଦିବାସୀଙ୍କ ଘରେ ପଶି ମାଡ଼ ମାରିବା ପ୍ରସଙ୍ଗ ଉଠାଇଛନ୍ତି । ପୁଲିସ ଉପସ୍ଥିତିରେ ବିଚ୍ ରାସ୍ତା ଉପରେ ସୌମ୍ୟଙ୍କୁ ହତ୍ୟା କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ ବିଜୁ ଜନତା ଦଳ ଓ କଂଗ୍ରେସକୁ ତୀବ୍ର ଆକ୍ଷେପ କରି କହିଛନ୍ତି, ‘ଏହି ସଙ୍କଟ ସମୟରେ ବିଜେଡି ଲୋକଙ୍କ ସହ ଠିଆ ନ ହୋଇ ନିଜ ଘର ସଜାଡ଼ିବାରେ ବ୍ୟସ୍ତ ଅଛି । କଂଗ୍ରେସ ଏକ ପ୍ରକାର ନିଲମ୍ବିତ ବା ମୁମୂର୍ଷୁ ଅବସ୍ଥାରେ ଅଛି। ଓଡ଼ିଶା ଜନତା କଂଗ୍ରେସ ହିଁ ଓଡ଼ିଆ ଲୋକଙ୍କ ପ୍ରକୃତ ସ୍ୱର ସାଜି ରାଜରାସ୍ତାକୁ ଓହ୍ଲାଇଛି। ଯଦି ଆଗାମୀ ଦିନରେ ଥାନାରେ ପୁଲିସର ଥାର୍ଡ ଡିଗ୍ରୀ ଓ ଦୁର୍ନୀତି ବନ୍ଦ ନହୁଏ, ତେବେ ଦଳ ପକ୍ଷରୁ ସାରା ରାଜ୍ୟର ସବୁ ଥାନା ଘେରାଉ କରାଯିବା ସହ ଭୁବନେଶ୍ୱରରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ।’ ନୂତନ ଦଳ ଭାବରେ ଓଡିଶା ଜନତା କଂଗ୍ରେସ ଗଠନ ହେବା ପରେ ଡିଜି ଅଫିସ ଆଗରେ ପ୍ରଥମ ଥର ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ