ଗୋଠିଣା ବିଲ୍ ମଝିରେ କାମ ନହୋଇ ଟଙ୍କା ହଡ଼ପ ଅଭିଯୋଗ: ଚାଷୀଙ୍କ ତଦନ୍ତ ଦାବି
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହି ପଞ୍ଚାୟତ ଅଧିନସ୍ଥ ଗୋଠିଣା ସ୍ଥିତ ବିଲ୍ ମଝିରେ ଥିବା ହାଲୋଗଣ୍ଡା-ମହାରା ମାଟି ନାଳର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବଡ଼ ଧରଣର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ମନରେଗା ଯୋଜନାରେ ନାଳ ସଂସ୍କାର ନାମରେ ୫ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କାମ ହୋଇନଥିବା ଅଭିଯୋଗ କରି ସ୍ଥାନୀୟ ଚାଷୀମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଖବର ନେବାରୁ ଯାହା ଜଣାଯାଏ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତତା ଆଇନ (ମନରେଗା) ଅଧୀନରେ ମଷ୍ଟର ରୋଲ୍ ନଂ-୧୧୩୬୨ ଅନୁସାରେ ଚଳିତ ବର୍ଷ ଫେବୃଆରୀ ୪ରୁ ୧୦ ତାରିଖ ମଧ୍ୟରେ “ଗୋଠିଣା ଠାରେ ହାଲୋଗଣ୍ଡାରୁ ମହାରା ପର୍ଯ୍ୟନ୍ତ ମାଟି ନାଳର ପୁନରୁଦ୍ଧାର କାର୍ଯ୍ୟ” ସମ୍ପନ୍ନ ହୋଇଥିବା ରେକର୍ଡରେ ଉଲ୍ଲେଖ ରହିଛି। ପ୍ରାୟ ୨ କିଲୋମିଟର ଲମ୍ବ ବିଶିଷ୍ଟ ଏହି ନାଳର ସଂସ୍କାର ପାଇଁ ୫.୫୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।କିନ୍ତୁ ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁଯାୟୀ,କାଗଜପତ୍ରରେ କାମ ସରିଥିବା ଦର୍ଶାଯାଇଥିଲେ ମଧ୍ୟ ନାଳରେ କୌଣସି ସଫେଇ କିମ୍ବା ଖନନ କାର୍ଯ୍ୟ ହୋଇନାହିଁ। ବର୍ତ୍ତମାନ ମଧ୍ୟ ନାଳ ପୂର୍ବଭଳି ଅବସ୍ଥାରେ ଜଙ୍ଗଲ ହୋଇ ରହିଥିବାରୁ ଆଗାମୀ ବର୍ଷା ଋତୁରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ଚାଷଜମି ଜଳମଗ୍ନ ହେବା ସହ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।ଉଲ୍ଲେଖଯୋଗ୍ୟ ଯେ, ଏହି ନାଳ ଉପରେ ଜାହାଙ୍ଗିର, ପୁରୁଷୋତ୍ତମପୁର, କଣ୍ଟିଦୋଳ, ବିରୋହାଁ,ପାଟୁଳି, ଫଳପୁର, ବାଘୁଆରୀ, ଆମ୍ବିଳିଗାଁ, ଗୋଠିଣା, ଭଉଁରିଆବାଙ୍କ, ଷୋଳଗାଁ ସମେତ ବହୁ ମୌଜାର ପ୍ରାୟ ୪ ହଜାର ଏକର ଚାଷଜମିର ଜଳ ନିଷ୍କାସନ ଓ ସେଚନ ବ୍ୟବସ୍ଥା ନିର୍ଭର କରିଥାଏ। ତେଣୁ ନାଳର ସଠିକ୍ ସଂସ୍କାର ନ ହେଲେ ହଜାର ହଜାର ଚାଷୀ ପ୍ରଭାବିତ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। କିନ୍ତୁ ଏହି ନାଳ ପୁନଃରୁଦ୍ଧାର ନହୋଇ ଟଙ୍କା ହଡ଼ପ କରାଯାଇଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ଚାଷୀ ଚନ୍ଦ୍ରଶେଖର ମହାନ୍ତି, ସୁରଥ ଚନ୍ଦ୍ର ଖୁଣ୍ଟିଆ, ପ୍ରମୋଦ ରାଉତ, ଭଗ ବେହେରା, ସନ୍ତ ରାଉତ, ବାବୁଲା ରାଉତ, ସୁଶାନ୍ତ ଖୁଣ୍ଟିଆ, ରମେଶ ନାୟକ, ରମେଶ ରାଉତ ଓ କାଳନ୍ଦୀ ରାଉତ ପ୍ରମୁଖ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଅନିୟମିତତା ଅଭିଯୋଗ ପରେ ମନରେଗା ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାମ ନ ହୋଇଥିବା ବେଳେ କିପରି ମଷ୍ଟର ରୋଲ୍ ପ୍ରସ୍ତୁତ ହେଲା, କିପରି ଜବ୍ କାର୍ଡଧାରୀଙ୍କ ନାମରେ ହାଜିରା ଚଢ଼ିଲା ଏବଂ କିପରି ମଜୁରି ବାବଦ ଅର୍ଥ ପ୍ରଦାନ ହେଲା। ତାହାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।ଏନେଇ ଧାମନଗର ବିଡ଼ିଓଙ୍କୁ ପଚାରିବାରୁ କୁହନ୍ତି ମୋ ପାଖକୁ ଅଭିଯୋଗ ଆସିନାହିଁ। ଯଦି ମୋ ପାଖକୁ ଅଭିଯୋଗ କରିଥିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।


