ଗଣପର୍ବ ରଜର ବୈଜ୍ଞାନିକ ପୃଷ୍ଠଭୂମି

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆମ ସଂସ୍କୃତିରେ ପାଳିତ ହୋଇ ଆସୁଥିବା ଶାସ୍ତ୍ରୀୟ ପର୍ଵ ଗୁଡ଼ିକର ଅନେକ ପ୍ରାସଙ୍ଗିକତା ରହି ଆସିଛି। ଯାହା ଜନ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇ ଚାଲିଛି। ଏହାର ପଛରେ ରହିଛି ଆମ ପୂର୍ବସୁରୀ ମାନଙ୍କର ସୁନ୍ଦର ପ୍ରୟାସ। ଏହି ସୁରୀମାନେ ଥିଲେ ଜଣେ ଜଣେ ଅଭିଜ୍ଞ ସମ୍ପନ୍ନ ଦାର୍ଶନିକ ଓ ବୈଜ୍ଞାନିକ । ଏମାନେ ନିଜର ଅଭିଜ୍ଞତା ବଳରେ ଜାଣିଥିଲେ ଯେ, ପ୍ରକୃତିର ବିଜ୍ଞାନ ଏବଂ ପରିବେଶର ଵିଶେଷ ମହତ୍ତ୍ଵ କ’ଣ ରହିଛି। ତେଣୁ ଏମାନେ ସେହି ବୈଜ୍ଞାନିକ ତତ୍ତ୍ୱକୁ ଜନ ସମାଜରେ ପହଞ୍ଚାଇବା ନିମନ୍ତେ, ପର୍ବ – ପର୍ବାଣୀକୁ ମାଧ୍ଯମ କରିଥିଲେ। ଯା’ଫଳରେ ଲୋକେ ଆନନ୍ଦ ପାଇବା ସହ ସଚେତନ ମଧ୍ୟ ହେଉଥିଲେ। କାରଣ ବର୍ତ୍ତମାନ ସମୟ ପରି, ସେ ସମୟରେ ଆଧୁନିକ ବିଜ୍ଞାନର ଅଗ୍ରଗତି ହୋଇନଥିଲା। ତେଣୁ ପ୍ରାମାଣିକତା ଜଣାଇବା ପାଇଁ ସେମାନେ ସକ୍ଷମ ନଥିଲେ । ଏହି କାରଣରୁ ବିଭିନ୍ନ ପର୍ବ – ପର୍ବାଣୀକୁ ଚୟନ କରି ସଂସ୍କୃତି ଓ ପ୍ରକୃତିକୁ ସୁସ୍ଥ ରଖିବାରରେ ସେମାନେ ସଫଳତା ପାଇ ପାରିଥିଲେ। ସେହି ସଫଳ ପ୍ରୟାସ ମଧ୍ୟରୁ ଗୋଟିଏ ହେଉଛି ମିଥୁନ ସଂକ୍ରାନ୍ତିରେ ପାଳିତ ହେଉଥିବା ଗଣପର୍ବ ରଜ।
ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ପ୍ରଦେଶ। କୃଷି କର୍ମ ପରିବେଶ ଉପରେ ନିର୍ଭର କରେ । ଋତୁ ଅନୁଯାୟୀ ଆମ ଅଞ୍ଚଳରେ ଭୂମିରେ ବିବିଧ ପ୍ରକାରର ଚାଷ ହୋଇଥାଏ। ସୌର ଗଣନା ଅନୁସାରେ ଏହି ମିଥୁନ ସଂକ୍ରାନ୍ତି ଠାରୁ ବର୍ଷା ଋତୁ ଆମ ରାଜ୍ୟରେ ଧରା ପୃଷ୍ଠକୁ ଆସିଥାଏ। ଏଥି ପୂର୍ବରୁ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପ ଯୋଗୁଁ ମାଟି ଶୁଷ୍କ ଓ ଫାଟି ଯାଇଥାଏ। ଏହି ବେଳରେ ପ୍ରାକ୍-ମୌସୁମୀ ବର୍ଷା ହେଲେ ମାଟି ଧୀରେ ଧୀରେ ଜଳ ଶୋଷଣ କରି ନିଜର ଆର୍ଦ୍ରତା ଫେରି ପାଇଥାଏ। ତେଣୁ ମିଥୁନ ସଂକ୍ରାନ୍ତିର ପୂର୍ବ ଦିନ ଅର୍ଥାତ୍ ମାସନ୍ତ ଠାରୁ ସଂକ୍ରାନ୍ତିର ପର ଦିନ ପର୍ଯ୍ୟନ୍ତ ଭୂମିକୁ ବିଶ୍ରାମ ଦିଆଯାଏ। ଏହା ଦ୍ୱାରା ମୃତ୍ତିକାରେ ଥିବା ଉପକାରୀ ଅଣୁଜୀବ ଏବଂ ଜୈବିକ ଉପାଦାନଗୁଡ଼ିକ ସକ୍ରିୟ ହୋଇଥାନ୍ତି । ଯା’ଫଳରେ ଆଗାମୀ ଚାଷ କାର୍ଯ୍ୟ ପାଇଁ ମାଟିରେ ଉର୍ବରତା ବୃଦ୍ଧିଘଟେ।
ଆମ ସଂସ୍କୃତିରେ ଆମେ ମାଟିକୁ, ମା’ ବୋଲି ସମ୍ବୋଧନ କହିଥାଉ। ସେଭଳି ରଜସ୍ଵଳା କନ୍ୟା ଠାରୁ ଆରମ୍ଭ କରି ବିବାହିତା ମହିଳା ପର୍ଯ୍ୟନ୍ତ ସମସ୍ତଙ୍କୁ ମାତୃ ସ୍ଥାନୀୟ ମଣିଥାଉ। କାରଣ ନାରୀ ଜାତି ସଦା ସର୍ଵଦା ଜନ ସମାଜ ପାଇଁ ବନ୍ଦନୀୟା। ସେ ଯେତେ ପର୍ଯ୍ୟନ୍ତ ସୁସ୍ଥା ଥିବ ସମାଜ ଅଗ୍ରଗତି କରି ଚାଲିଥିବ। ସାଧାରଣତଃ ଆମ ପ୍ରଦେଶରେ ମହିଳାମାନେ ଅତ୍ୟାଧିକ ଶାରୀରିକ ପରିଶ୍ରମ କରୁଥାନ୍ତି। ଏମାନଙ୍କ ମାସିକ ଧର୍ମ ବା ରଜସ୍ଵଳା ବେଳେ ଶରୀରରେ ହରମୋନାଲ ପରିବର୍ତ୍ତନ ହୋଇଥାଏ। ଏଥି ଯୋଗୁଁ ଶାରୀରିକ ଓ ମାନସିକ ବିଶ୍ରାମର ଆବଶ୍ୟକତା ପଡେ। ଯେହେତୁ ପ୍ରକୃତି ସହିତ ମାତୃ ଜାତିକୁ ତୁଳନା କରାଯାଇଛି; ତେଣୁ ଏହି ରଜ ପର୍ବରେ ନାରୀର ସ୍ୱାସ୍ଥ୍ୟ ଏବଂ ମାନସିକ ଅବସାଦର ଦୂରୀକରଣ କରିବା ପାଇଁ ଘର କାମରୁ ମୁକ୍ତି ଦିଆଯାଏ। ତା’ସହିତ ଦୋଳି ଖେଳିବାକୁ, ନୂଆଁ ପୋଷାକ ବା ବସ୍ତ୍ର ପରିଧାନ ଓ ଆନନ୍ଦ ଉଲ୍ଲାସରେ ଦିନ ବିତେଇବା ପାଇଁ ସୁଯୋଗ ଦିଆଯାଏ। ଏଥି ଯୋଗୁଁ ସେମାନଙ୍କ ଶରୀରରେ ଖୁସିର ହରମୋନମାନ ବୃଦ୍ଧି ଘଟି ଉଭୟ ତନ ଓ ମନକୁ ସନ୍ତୁଳିତ ରଖନ୍ତି। ଯାହା ବୈଜ୍ଞାନିକ ପଦ୍ଧତିରେ ମାନସିକ ଚାପ ଦୂର କରିବାରେ ସହଜ ସହାୟକ ହୋଇଥାଏ।
ଏହି ଅବସରରେ ଖାଦ୍ୟପେୟର ମଧ୍ୟ ବୈଜ୍ଞାନିକ ମହତ୍ତ୍ଵ ରହିଛି। ରଜ ସମୟରେ ବିଶେଷ ଭାବେ ପୋଡ଼ ପିଠା, ପାନ ଏବଂ ବିଭିନ୍ନ ପ୍ରକାରର ଋତୁକାଳୀନ ଫଳ ଯଥା: ଆମ୍ବ – ପଣସାଦି ଖାଇବାର ପରମ୍ପରା ରହି ଆସିଛି। ଯାହା ଶରୀରକୁ ପ୍ରଚୁର ଶକ୍ତି ପ୍ରଦାନ କରିଥାଏ। ଏହି ଖାଦ୍ୟକୁ ସହଜରେ ହଜମ କରିବା ପାଇଁ ସାହାଯ୍ୟ କରିଥାଏ ରଜ ପାନ। ପାନରେ ବ୍ୟବହୃତ ଚୂନ କ୍ୟାଲସିୟମ ଯୋଗାଏ ଏବଂ ଜୁଆଣୀ, ଗୁଜୁରାତି ଆଦି ମସଲା ବର୍ଷା ଋତୁ ଆରମ୍ଭରେ ପାଚନ ତନ୍ତ୍ର ପ୍ରକ୍ରିୟାକୁ ସୁଦୃଢ଼ କରିନିଏ । ଯାହା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଉତ୍କଳ ପ୍ରଦେଶର ଅନନ୍ୟ ଗଣପର୍ବ ରଜ ,କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରକୃତି ସହ ସନ୍ତୁଳନ ରକ୍ଷା କରିବାର ଏକ ସୁନ୍ଦର ଉଦାହରଣ। ଏହା ଆମକୁ ଶିଖାଏ ଯେ ମାନବ ସଭ୍ୟତାର ପ୍ରଗତି ପାଇଁ ଧରିତ୍ରୀ ଓ ନାରୀ ଶକ୍ତିର ସୁରକ୍ଷା କେତେ ଆବଶ୍ୟକ। ଆମେ ଯେତେ ଦିନ ପର୍ଯ୍ୟନ୍ତ ଆମର ପ୍ରକୃତି ମା’ ସହିତ ମାତୃ ସ୍ଥାନୀୟା ନାରୀ ଜାତିକୁ ଉଚିତ ସମ୍ମାନ ଓ ତାର ସୁରକ୍ଷା ଦେଇ ପାରିବା ନାହିଁ, ସେତେଦିନ ପର୍ଯ୍ୟନ୍ତ ଏହି ରଜ ପର୍ବ ମୂଲ୍ୟହୀନ ହୋଇ ରହିଥିବ। ତେଣୁ ପ୍ରକୃତି, ସଂସ୍କୃତି ଓ ସମାଜକୁ ସୁସ୍ଥ ରଖିବା ପାଇଁ ଆମେ ଆମ କର୍ତ୍ତବ୍ୟକୁ ପାଳନ କଲେ ପ୍ରକୃତ ରଜ ପର୍ବର ମହତ୍ତ୍ବ ସାଧନ ହୋଇପାରିବ। ଯା’ଫଳାରେ ଆମ ଉତ୍ତର ପିଢ଼ିମାନେ ଆମ ସଂସ୍କୃତି ପାଇଁ ଗର୍ବ ଅନୁଭବ କରିପାରିବେ। ଏହି ଉତ୍କଳିୟ ଗଣ ପର୍ବ ରଜ ସମସ୍ତଙ୍କ ପାଇଁ ଆନନ୍ଦ ଓ ଖୁସି ପ୍ରଦାୟକ ହେଉ, ଏହା ହିଁ ମୋର ପ୍ରକୃତି ମାଆ ପାଖରେ ବିନମ୍ର ପ୍ରାର୍ଥନା।
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮


