ଚାମେଲିଙ୍କୁ ଭେଟିଲେ ସୋଫିଆ ଫିର୍ଦ୍ଦୋଶ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧିନ ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ସୋମବାର ଭେଟିଛନ୍ତି। ସେ ପୋଲିସର ବଡି କ୍ୟାମେରାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଜଣେ ଯୁବତୀ ଯେଉଁଠାରେ ଚିକିତ୍ସିତ ହେଉଛନ୍ତି ସେଠାରେ ଯେଉଁ ପୋଲିସ କର୍ମଚାରୀମାନେ ମୁତୟନ ହୋଇଛନ୍ତି ସେମାନେ ବଡି କ୍ୟାମେରା ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଜଣେ ନାରୀର ବ୍ୟକ୍ତିଗତ ତଥ୍ୟ ଓ ଫଟୋ ପଦାରେ ପଡିବାର ଆଶଙ୍କା ରହିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରାଜ୍ୟ ସରକାର ହସ୍ତକ୍ଷେପ କରି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ। ଚାମେଲି ଯେଉଁ ଏତଲା ଦେଇଛନ୍ତି ତାହାକୁ ଗୁରୁତର ସହ ଗ୍ରହଣ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ପୋଲିସ ଜଣେ ଜନପ୍ରନିଧିଙ୍କୁ ନ୍ୟାୟ ଦେଇ ପାରୁ ନଥିବାରୁ ଜନସାଧାରଣଙ୍କୁ କିପରି ନ୍ୟାୟ ଦେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଜଣେ ବିଡିଓଙ୍କୁ କାହିଁକି ୪ଟି ଦାୟିତ୍ୱ ଦିଆଯାଇଛି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଚାମେଲିଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବା ପାଇଁ ସୋଫିଆ ଦାବି କରିଛନ୍ତି। ଚାମେଲିଙ୍କୁ ଡାକ୍ତରଖାନାରେ ଭେଟି ସାରିବା ପରେ ସୋଫିଆ ଜିଲ୍ଲାପାଳ ରଘୁରାମ ଆର. ଆୟର ଓ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।


