ଚାମେଲୀ ଓଝାଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ସସ୍ମିତା ବେହେରା ଓ ଏଆଇସିସି ସଭ୍ୟ ଆଇନ୍ଜୀବୀ ହଳଧର ସେଠୀଙ୍କ ନେତତୃତ୍ୱରେ ଏକ ଦଳ ଡାକ୍ତରଖାନାରେ ଚାମେଲୀଙ୍କୁ ଭେଟିଛନ୍ତି। ସେମାନେ ଦାବି କରିଛନ୍ତି ଯେ ମହାକାଳପଡା ବିଡିଓ ଏବଂ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସାଧୀନ ଆହତ ସରପଞ୍ଚ ଚାମେଲି ଓଝାଙ୍କୁ ସେମାନେ ଭେଟିଥିଲେ। ସେମାନେ ଚାମେଲିଙ୍କ ପିତା ମାତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଶ୍ରୀମତୀ ବେହେରା କେନ୍ଦ୍ରାପଡ଼ା ଏସ୍ପିଙ୍କ ପ୍ରେସ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ବିଡିଓଙ୍କ ଭଡ଼ାଟିଆ ଗୁଣ୍ଡାମାନେ କାର୍ଯ୍ୟାଳୟ ମଧ୍ୟରେ ତାଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ପ୍ରତିନିଧି ଦଳ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ଶ୍ରୀମତୀ ବେହେରାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ହଳଧର ସେଠୀ, ଜିଲ୍ଲା କଂଗ୍ରେସ ପୂର୍ବତନ ସଂଯୋଜକ ପ୍ରଫୁଲ୍ଲ ଦାସ, ଡ଼ ରତିକାନ୍ତ କାନୁନ୍ଗୋ, କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, ଜିଲ୍ଲା କଂଗ୍ରେସ ଉପ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ଓ ଅଶୋକ ମୋହନ ଜେନା, ବିପ୍ଳବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


