ନିର୍ଯାତନା ମାମଲା ରଦ୍ଦ ପାଇଁ ଅନୁଭବଙ୍କ ଆବେଦନ: ରାଜ୍ୟ ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କଟକ(ଓ୍ବାଇଏନଏସ): ଅଭିନେତ୍ରୀ ବ‌ର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗକୁ ନେଇ କଟକ ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଏ ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ୨୦୨୬ ଜାନୁଆରି ୩୦ର ରାୟକୁ ଚ୍ୟାଲେଞ୍ଜ କରି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ରାଜ୍ୟ ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ୍‌ ସନ୍ଦୀପ ମେହତା ଓ ଜଷ୍ଟିସ୍‌ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବ ମହାନ୍ତି, ସୁଜିତ ଦଳାଇ, ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ, ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ମାମଲାରେ ଅନୁଭବ ଦାୟର କରିଥିବା ଡିସଚାର୍ଜ ପିଟିସନ୍‌ ୨୦୨୪ରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବ ଓ ଅନ୍ୟ ଦୁଇଜଣଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ୨୦୨୬ ଜାନୁଆରି ୩୦ରେ ଖାରଜ କରିଥିଲେ। ଡିସଚାର୍ଜ ପିଟିସନ୍‌ ଖାରଜ ସଂପର୍କିତ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ କାଏମ୍‌ ରହିଥିଲା। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଅନୁଭବ ଓ ଅନ୍ୟ ଦୁଇଜଣ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ ପୁରୀଘାଟ ଥାନା ପୁଲିସ ୨୦୨୦ ଡିସେମ୍ବର ୧୯ରେ ଆଇପିସିର ଦଫା ୪୯୮-କ, ୩୪୧, ୫୦୬ ଓ ୩୪ରେ ଅନୁଭବ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ୨୦୨୩ ଡିସେମ୍ବର ୧୮ରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୪୯୮-କ, ୫୦୬, ୩୪୧, ୨୯୪, ୫୦୯, ୩୪, ୧୦୯ ଏବଂ ଖଗେଶ୍ବର ଓ ସୁଜିତଙ୍କ ବିରୋଧରେ ଆଇପିସିର ଦଫା ୩୪/୫୦୯ରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଚାର୍ଜସିଟ୍‌ ପରେ କଟକ ସଦର ଏସ୍‌ଡି‌ଜେଏମ୍‌ ଅଦାଲତ ଅନୁଭବ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ କଗ୍‌ନିଜାନ୍ସ ଗ୍ରହଣ କରିଥିଲେ। ଏହାପରେ ସାଂସଦ ଓ ବିଧାୟକଙ୍କ ମାମଲା ଶୁଣାଣି ପାଇଁ ଥିବା ସ୍ବତନ୍ତ୍ର ଅଦାଲତକୁ ଏହି ମାମଲା ସ୍ଥାନାନ୍ତର ହୋଇ ଆସିଥିଲା। ଅଭିଯୋଗରେ ସତ୍ୟତା ଓ ଉପଯୁକ୍ତ ପ୍ରମାଣ ନ ଥିବାରୁ ଏହି ମାମଲାରୁ ତାଙ୍କୁ ଡିସଚାର୍ଜ କରାଯାଉ ବୋଲି ଦର୍ଶାଇ ଅନୁଭବ ଓ ଅନ୍ୟ ଦୁଇଜଣଙ୍କ ତରଫରୁ ଦାଖଲ ଡିସଚାର୍ଜ ପିଟିସନ୍‌କୁ ଅଦାଲତ ଖାରଜ କରିଥିଲେ। ଏପରି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଅନୁଭବଙ୍କ ତରଫରୁ ହାଇକୋର୍ଟ‌ରେ ୨୦୨୪ରେ ଆବେଦନ କରାଯାଇଥିଲା। ମାମଲାରେ ରାଜ୍ୟ ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏହି ମାମଲାର ରାୟ ୨୦୨୬ ଜାନୁଆରି ୩୦ରେ ହାଇକୋର୍ଟ ପ୍ରକାଶ କରି ଅନୁଭବ ଓ ଅନ୍ୟ ଦୁଇଜଣଙ୍କ ଆବେଦନକୁ ଖାରଜ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ