ଗୁଣୁପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଗୁଣୁପୁର, (ୱାଇଏନଏସ): ଚଳିତ ବର୍ଷ ରଥଯାତ୍ରା-୨୦୨୬କୁ ସୁଚାରୁ ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲକ୍ଷ୍ୟରେ ଗୁଣୁପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର ବିଭାଗ ପକ୍ଷରୁ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ୍ ଙ୍କ ଅଧକ୍ଷତାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦେବୋତ୍ତର ବିଭାଗର କାର୍ଯ୍ୟ ନିର୍ବାହି ଅଧିକାରୀ ଲୀଳାବତୀ ଆଚାର୍ଯ୍ୟୀ ବୈଠକକୁ ପରିଚାଳନ କରିଥିବା ବେଳେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଉପସ୍ଥିତ ଥିଲେ। ବୈଠକରେ ରଥ ନିର୍ମାଣ, ଯାତ୍ରାପଥର ମରାମତି, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ବୈଠକରେ ରଥର ଚକ ଓ ଅଖ ନିର୍ମାଣ ପାଇଁ କାଠ ଯୋଗାଣ, ରଥ ନିର୍ମାଣ ଓ ଫିଟନେସ୍ ପ୍ରମାଣପତ୍ର ପ୍ରଦାନ, ରଥଯାତ୍ରା ପଡ଼ିଆ ଓ ଯାତ୍ରାପଥର ସଫେଇ ଓ ମରାମତି, ରାସ୍ତା ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଓ ପାର୍କିଂ ବ୍ୟବସ୍ଥା ଉପରେ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ଛିଞ୍ଚନ, ପ୍ରଥମିକ ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା ଉପରେ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ରଥଯାତ୍ରା ରେ କିଛି ଖଳ ପ୍ରକୃତିର ଲୋକଙ୍କ ଚକ୍ରାନ୍ତ ଯୋଗୁଁ ମୀନାବଜାର ଟେଣ୍ଡର ହୋଇ ପାରିନଥିବାରୁ ନେଇ ବୈଠକରେ ନିନ୍ଦା କରାଯାଇଥିଲା। ଏଥିପାଇଁ ଠାକୁରଙ୍କ ଭଣ୍ଡାର ଘରକୁ ମୀନାବଜାରରୁ ପ୍ରତିବର୍ଷ ମିଳୁଥିବା ଅନୁଦାନ ଆସି ପାରିନଥିଲା। ଚଳିତ ବର୍ଷ ଭକ୍ତଙ୍କ ମନୋରଂଞ୍ଜନ ସକାଶେ ମୀନାବଜାର ପାଇଁ ପ୍ରଶାସନ ଆଗୁଆ ଟେଣ୍ଡର ପ୍ରକ୍ରିୟା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଅପର ପକ୍ଷରେ ସେବାୟତ ମାନେ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ଓ ଦରମା ବୃଦ୍ଧି କରିବାକୁ ନିବେଦନ କରିଥିଲେ। ଏହି ସମ୍ପର୍କରେ ଦେଵତ୍ତୋର କମିଶନରଙ୍କୁ ଅବଗତ କରାଯାଇଥିବା ନେଇ ଉପ ଜିଲ୍ଲାପାଳ କହିଥିଲେ। ସେହିପରି ମନ୍ଦିର ପରିସରରେ ଅସ୍ଥାୟୀ ପରିଚାଳନା କମିଟି ଦାନ ଅର୍ଥ ଆଦାୟ ନେଇ ଲାଗିଥିବା ଫଳକକୁ ତୁରନ୍ତ ହଟେଇଦେବା ପାଇଁ ଉପ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଦେବୋତ୍ତର ବିଭାଗର ବିନା ଅନୁମତିରେ କେହି କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହି ବୈଠକରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଚନ୍ଦ୍ର ଧ୍ବଜ ପଣ୍ଡା, ଗୁଣୁପୁର ପୈାରପରିଷଦ ଅଧକ୍ଷା ମମତା ଗୈାଡ, ଉପାଧକ୍ଷ ଶିବ ପ୍ରସାଦ ଗୈାଡ, ନିୟନ୍ତ୍ରୀତ ବଜାର କମିଟି ସଂମ୍ପାଦକ ଦଳପତୀ କାର୍ଯୀ, ପୈାରପରିଷଦ ନିର୍ବାହି ଅଧିକାରି ସନ୍ତୋଷ ନାୟକ,ଆଦର୍ଶ ଥାନା ଅଧିକାରି କମଳ କାନ୍ତ ବସନ୍ତ କୁମାର କଅଁର,ବିଦ୍ୟୁତ୍ ବିଭାଗ, ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଅଗ୍ନିଶମ ବିଭାଗ, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର, ସୁଚନା ଓ ଲୋକ ସଂମ୍ପର୍କ ବିଭାଗର ଅଧିକାରି ଧନଞ୍ଜୟ ବେହେରା ଓ ଅନ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


