ଚିନ୍ମୟ ଅମୃତ ମହୋତ୍ସବ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍): ଅନ୍ତଃରାଷ୍ଟ୍ରୀୟ ଚିନ୍ମୟ ମିଶନ୍ର ପ୍ରତିଷ୍ଠାତା ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ ମହାରାଜଙ୍କ ବାଣୀକୁ ପ୍ରଚାର ଓ ପ୍ରସାର କରିବା ସାଙ୍ଗକୁ ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମକ ଚିନ୍ତାଧାରା ଜାଗ୍ରତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାର ବାର୍ତ୍ତା ନେଇ ଆସିକା ଆସିଥିବା ଚିନ୍ମୟ ଅମୃତ ମହୋତ୍ସବ ରଥକୁ ସ୍ଥାନୀୟ ସତ୍ୟ ନାରାୟଣ ମନ୍ଦିର ପରିସରରେ ମମ୍ ସ୍କୁଲ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି । ଚିନ୍ମୟ ମିଶନ୍ ଆସିକା ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳନ ଅବସରରେ ଗତ ୨୦୨୫ ମସିହା ଡିସେମ୍ବର ମାସ ୩୧ ତାରିଖରୁ ପୁନେ ଠାରୁ ଅମୃତ ଯାତ୍ରା ଆରମ୍ଭ କରିଥିବା ଚିନ୍ମୟ ବିଭୁତି ରଥ ସତ୍ୟ ନାରାୟଣ ମନ୍ଦିର ନିକଟରେ ଥିବା ମମ୍ ସ୍କୁଲ ନିକଟରେ ପହଞ୍ଚିବା ପରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ରଣବ କୁମାର ରଥ ପୂଜ୍ୟ ଶ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଜୀଙ୍କ ଦିବ୍ୟବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଚିନ୍ମୟ ଅମୃତ ମହୋତ୍ସବ ପାଳନ ଅବସରରେ ଚିନ୍ମୟ ଅମୃତ ମହୋତ୍ସବ ରଥ ସହ ଆସିଥିବା ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀଜୀ, ସ୍ୱାମୀ ସୁଧିରଚୈତନ୍ୟଜୀ, ସ୍ୱାମୀ ଅରୁପାନନ୍ଦଜୀ, ବ୍ରହ୍ମଚାରୀ ତାରିଣୀ ଚୈତନ୍ୟଜୀ, ଆସିକା ଚିନ୍ମୟ ମିଶନର ସଂପାଦକ ନିରଞ୍ଜନ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆସିକା ମମ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ଶ୍ରୀ ଶ୍ରୀ ଭାଗବତ ଗୀତା ପାଠ ଏବଂ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ଓ ଜ୍ଞାନକୌଶଳ ଉପସ୍ଥିତ ସାଧୁସନ୍ଥ ଓ ବିଦ୍ୱାନ ବ୍ୟକ୍ତିମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା ବେଳେ ଏଭଳି ଜ୍ଞାନକୌଶଳ ଶିକ୍ଷାନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଖ୍ୟାତ କରିବାରେ ସହାୟକ ହୋଇପାରିବ ବୋଲି ଆଶୀର୍ବାଦ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଚିନ୍ମୟ ମିଶନ୍ ଆସିକା ଶାଖା ପକ୍ଷରୁ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ତଥା ସଂଗଠନର ସଂପାଦକ ନିରଞ୍ଜନ ମହାନ୍ତି, ଶ୍ରଦ୍ଧାଳୁ ଭକ୍ତ ଶିବରାମ ମହାରଣା, ବ୍ୟେମକେଶ ପାଢୀ, ଶତ୍ରୁଘ୍ନ ଗୌଡ, ଇ.ଭେଙ୍କେଟରମଣ ପାତ୍ର, ବିମ୍ବାଧର ପାତ୍ର, ବିଶ୍ୱନାଥ ସେଠୀ, ଭଜରାମ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ବୃନ୍ଦାବନ ବେହେରା, ବିଜୟ କୁମାର ମହାନ୍ତି, ରାମଚନ୍ଦ୍ର ଜେନାଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


