ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି : ୧୨୫୮୭ ପିଲା ପଢିବେ ଭୂଲ ପାଠ!
ଆସିକା ତା(ୱାଇଏନ୍ଏସ୍): ଗ୍ରୀଷ୍ମଛୁଟି ପୂର୍ବରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଦ୍ୟାଳୟ ଗୁଡିକରେ ପାଳିତ ହେଲା ପ୍ରବେଶ ଉତ୍ସବ । ନବାଗତ ବିଦ୍ୟାର୍ଥୀଙ୍କୁ ସ୍ନେହଶ୍ରଦ୍ଧାରେ ସ୍ୱାଗତ କଲା ଶିକ୍ଷାବିଭାଗ । ଶିଶୁବାଟିକା ପିଲାଙ୍କ ପାଇଁ ହାତରେ ଖେଳନା ଠାରୁ ଆରମ୍ଭ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପରିବର୍ତ୍ତିତ ମାଗଣା ପାଠ୍ୟପୁସ୍ତକ ଦିଆଗଲା । ଖରାଛୁଟି ଶେଷ ପରେ ଆସନ୍ତା ୨୨ ତାରିଖରେ ସ୍କୁଲ ଖୋଲିବ ଓ ବିଦ୍ୟାଳୟ ଗୁଡିକରେ ପାଠପଢା ସ୍ୱାଭାବିକ ଭାବେ ଆରମ୍ଭ ହେବ । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା ଭୂବନେଶ୍ୱର, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଯୋଗାଇ ଦିଆଯାଇଥିବା ସରକାରୀ ପାଠ୍ୟପୁସ୍ତକରେ ମାଳମାଳ ବନାନ ଭୂଲ ସାଙ୍ଗକୁ ଅନ୍ୟାନ୍ୟ କେତେକ ତ୍ରୁଟି ଥିବା ଯୋଗୁଁ ଏହା ଅଭିଭାବକ, ଭାଷାବିତ୍, ଶିକ୍ଷାବିତ୍ ଓ ସଚେତନ ନାଗରିକଙ୍କ ମହଲରେ ଚିନ୍ତା ପ୍ରକଟ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ୧୨୯ଟି ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୨୫୮୭ ଜଣ ଛାତ୍ରଛାତ୍ରୀ ଭୂଲ ପାଠ ପଢିବେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିିବାକୁ ମିଳୁଛି । ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ଆରମ୍ଭରୁ ବହୁ ବିଦ୍ୟାର୍ଥୀ ମଧ୍ୟ ଭୂଲ ପାଠ ପଢିଥିବା ସମ୍ଭାବନାକୁ ଏଡାଇ ହେଉ ନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ସରକାରୀ ପାଠ୍ୟପୁସ୍ତକରେ ମାଳମାଳ ବନାନ ଭୂଲ ଓ ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ସମସ୍ତ ସରକାରୀ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଗଣା ପାଠ୍ୟପୁସ୍ତକ ଯୋଗାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାରେ ଗତବର୍ଷ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ କରାଯାଇଥିଲା । ଏହାର ଆଧାରରେ ଚଳିତ ଶିକ୍ଷାବର୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ନୂତନ ପାଠ୍ୟକ୍ରମରେ ସରକାରଙ୍କ ପକ୍ଷରୁ ୫୫ଟି ବହି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଅଧିକାଂଶ ବହିରେ ୧୬୭୮ଟି ବନାନ ଭୂଲ ରହିଯାଇଥିବା ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଗତବର୍ଷ ଓଡିଶାରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହେବା ପରେ ବଦଳିଛି ପ୍ରଥମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବିଭାଗ ପକ୍ଷରୁ ବଣ୍ଟନ କରାଯାଇଥିବା ପାଠ୍ୟପୁସ୍ତକରେ ୩ ପ୍ରକାର ଭୂଲ ଥିବା ସଚେତନ ନାଗରିକ ମହଲରେ ଆଲୋଚିିତ ହେଉଛି । କେଉଁଠି ବନାନ ଅଶୁଦ୍ଧ ତ ଅନ୍ୟ କେଉଁଠି ଭୂଲ ସୂଚନା ଛାପା ଯାଇଥିବା ଜଣାପଡିଛି । ପାଠ୍ୟପୁସ୍ତକ ଗୁଡିକରେ ୩ ପ୍ରକାରର ଭୂଲ ଥିବା ଜଣାପଡିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବନାନରେ ଏବଂ ଦ୍ୱିତୀୟରେ ତଥ୍ୟରେ ଏବଂ ଶେଷଟି ଭୂଲ ତଥ୍ୟ ଉପସ୍ଥାପନ ବୋଲି ଜଣାପଡିଛି । ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହୃତ କରି ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟପୁସ୍ତକ ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଶିକ୍ଷାବିଭାଗ ପକ୍ଷରୁ ଶିକ୍ଷକମାନେ ପାଠ୍ୟପୁସ୍ତକରେ ଛାପା ଯାଇଥିବା ତ୍ରୁଟିକୁ ସଂଶୋଧନ କରି ପିଲାଙ୍କୁ ପାଠ ପଢାଇବା ପାଇଁ ପରାମର୍ଶ ଦିଆଯାଇଥିବା ଶୁଣିବାକୁ ମିଳୁଛି ।


