ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଭିଜିଲାନ୍ସ ମାମଲା ଥିଲେ ମିଳିବନି ପଦୋନ୍ନତି
କଟକ (ଓ୍ବାଇଏନଏସ): ଭିଜିଲାନ୍ସ ମାମଲା ଥିଲେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ନାହିଁ। ୨୦୨୩ରେ ବରିଷ୍ଠ ରାଜସ୍ବ ସହକାରୀଙ୍କୁ ସେକ୍ସନ ଅଫିସର ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ଜଣା ପଡ଼ିଥିଲା। ଏହାପରେ ସେକ୍ସନ ଅଫିସର ପଦକୁ ପଦୋନ୍ନତି ନିଷ୍ପତ୍ତିକୁ ବାତିଲ କରାଯିବା ସହିତ ସଂପୃକ୍ତ କର୍ମଚାରୀଙ୍କୁ ପୁଣି ପୂର୍ବର ବରିଷ୍ଠ ରାଜସ୍ବ ସହକାରୀ ପଦକୁ ଖସାଇ ଦିଆଯାଇଥିଲା। ଅନୁଗୁଳ ଜିଲ୍ଲାପାଳଙ୍କ ୨୦୨୬, ଜାନୁଆରି ୨୧ର ଏପରି ନିର୍ଦ୍ଦେଶ ଆଇନ ସମ୍ମତ ବୋଲି ହାଇକୋର୍ଟ ମତ ଦେବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ସୂଚନାଥାଉକି, ପଦୋନ୍ନତି ବାତିଲ ସଂକ୍ରାନ୍ତୀୟ ଜାନୁଆରି ୨୧ର ନିର୍ଦ୍ଦେଶକୁ ଚାଲେଞ୍ଜ କରି କର୍ମଚାରୀ ଜଣକ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ସଂପୃକ୍ତ ବରିଷ୍ଠ ରାଜସ୍ବ ସହକାରୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପଦୋନ୍ନତି ପ୍ରଦାନ କରାଯିବା ସମୟରେ ବରିଷ୍ଠ ରାଜସ୍ବ ସହକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବାରୁ ସେ ନିୟମିତ ପଦୋନ୍ନତି ପାଇବାକୁ ସେତେବେଳେ ଯୋଗ୍ୟ ନଥିଲେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ପରିଶେଷରେ ଯଦି ଭିଜିଲାନ୍ସ ମାମଲାରେ ଦୋଷମୁକ୍ତ ହୁଅନ୍ତି ତେବେ ଆବେଦନକାରୀ ପଦୋନ୍ନତିର ଲାଭ ପାଇବା ପାଇଁ ନିଜର ଦାବି ପୁନର୍ବାର ଉପସ୍ଥାପନ କରିପାରିବେ। ଏଥି ସହିତ ଭିଜିଲାନ୍ସ ମାମଲାର ଶୀଘ୍ର ଫଏସଲା ପାଇଁ ଆବେଦନକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବିଭାଗୀୟ ପଦୋନ୍ନତି କମିଟି(ଡିପିସି)ର ୨୦୨୩, ଜୁଲାଇ ୩୧ର ନିଷ୍ପତ୍ତି ଆଧାରରେ ବରିଷ୍ଠ ରାଜସ୍ବ ସହକାରୀ ପଦରେ କାର୍ଯ୍ୟରତ ଆବେଦନକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିଲା। ଡିପିସି ନିକଟରେ ଆବେଦନକାରୀଙ୍କ ସଂପର୍କରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଥିଲା ସେଥିରେ ତାଙ୍କ ବିରୋଧରେ ୨୦୧୨ରୁ ବିଚାରାଧୀନ ଭିଜିଲାନ୍ସ ମାମଲା ସଂକ୍ରାନ୍ତରେ ତଥ୍ୟ ଉଲ୍ଲେଖ କରାଯାଇ ନଥିଲା। ଭିଜିଲାନ୍ସ ମାମଲା ସଂପର୍କିତ ତଥ୍ୟ ପ୍ରକାଶ କରି ନଥିବା ଦର୍ଶାଯାଇ ଆବେଦନକାରୀଙ୍କୁ ୨୦୨୫, ନଭେମ୍ବର ୨୯ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଆବେଦନକାରୀ ଏହାର ଉତ୍ତର ରଖିଥିଲେ। ପରବର୍ତ୍ତୀ ସମୟରେ ୨୦୨୬, ଜାନୁଆରି ୧୬ର ପୁନର୍ବିଚାର ଡିପିସ ବୈଠକର ଅନୁମୋଦନ ଆଧାରରେ ପଦୋନ୍ନତି ବାତିଲ କରି ଆବେଦନକାରୀଙ୍କୁ ପୁଣି ପୂର୍ବର ବରିଷ୍ଠ ରାଜସ୍ବ ସହକାରୀ ପଦରେ ଅବସ୍ଥାପିତ କରିବା ପାଇଁ ଜାନୁଆରି ୨୧ରେ ଅନୁଗୁଳ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।


