ଆସିକାରେ ମାଳ ମାଳ କୋଚିଂ ସେଣ୍ଟର୍‍: ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ଦାବୀ

ଆସିକା (ୱାଇଏନ୍‍ଏସ୍‍) : ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଏକ କୋଚିଂ ସେଣ୍ଟରରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ ଏବଂ ଏଥିରେ ୧୫ ଜଣଙ୍କ ପ୍ରାଣହାନୀ ଘଟିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ପରେ ଆସିକା ଅଞ୍ଚଳରେ ଚାଲିଥିବା କୋଚିଂ ସେଣ୍ଟର ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଆସିକା ସହରର ସାହିବସ୍ତିରେ ଚାଲିଛି ମାଳ ମାଳ କୋଚିଂ ସେଣ୍ଟର୍‍ । ରାତି ପାହିବା ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆସି କୋଚିଂ ସେଣ୍ଟର୍‍ରେ ପାଠ ପଢି ଯାଉଥିବା ବେଳେ କେତେକ ଶିକ୍ଷା ବ୍ୟବସାୟୀ ନିଜ କୋଚିଂ ସେଣ୍ଟର୍‍ର ଭଲ ପରୀକ୍ଷା ଫଳ ହେଉଛି ବୋଲି ପ୍ରଚାର ଓ ପ୍ରସାର ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଥିବା ଅଧିକାଂଶ କୋଚିଂ ସେଣ୍ଟର୍‍ ଗୁଡିକ ସରକାରୀ ନୀତିନିୟମକୁ ଆଧାର କରି ପରିଚାଳିତ ହେଉନଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କେତେ ଦୂର କାର୍ଯ୍ୟକାରୀ କରାଯାଉଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ଯାଞ୍ଚ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଲକ୍ଷ୍ନୌ କୋଚିଂ ସେଣ୍ଟର୍‍ ଅଗ୍ନିକାଣ୍ଡର ଛାତିଥରା ଦୃଶ୍ୟ ଦେଶର ବହୁ ଅଭିଭାବକଙ୍କ ମନକୁ ଦୋହଲାଇ ଦେଇଛି । ଆସିକା ଅଞ୍ଚଳରେ ଛତୁ ଫୁଟିଲା ଭଳି ମାଳ ମାଳ କୋଚିଂ ସେଣ୍ଟର୍‍ ବିଭିନ୍ନ ସାହିବସ୍ତିରେ ଚାଲିଛି । ତେବେ ଏସବୁ କୋଚିଂ ସେଣ୍ଟର୍‍ ଗୁଡିକ ପଞ୍ଚିକରଣ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି କି ନାହିଁ ତାହା ତଦନ୍ତସାପେକ୍ଷ୍ୟ । ଆସିକା ଅଞ୍ଚଳରେ କେତେକ କୋଚିଂ ସେଣ୍ଟର୍‍ରେ ପିଲା ବସିବା ପାଇଁ ଆବଶ୍ୟକୀୟ ସୁବିଧା ନଥିବା ବେଳେ ପରିମଳ ବ୍ୟବସ୍ଥା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଜରୁରୀକାଳୀନ ଦୁର୍ଘଟଣା ସମୟରେ ଘରୁ ବାହାରିବା ପାଇଁ ପ୍ରସସ୍ତ ପ୍ରସ୍ଥାନ ଦ୍ୱାର ନଥିବା ଅଭିଯୋଗ ହେଉଛି । ଆସିକା ଅଞ୍ଚଳରେ ଥିବା ବହୁ କୋଚିଂ ସେଣ୍ଟର୍‍ ଗୁଡିକ ମଧ୍ୟ ବିନା ପଞ୍ଜିକରଣରେ ଚାଲିଥିବା ଚର୍ଚ୍ଚା ହୋଇଛି । ଗତ ସୋମବାର ଦିନ ଉତ୍ତରପ୍ରଦେଶରେ ଲକ୍ଷେ୍ମøର ଏକ ଘରୋଇ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୧୫ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯିବା ବେଳେ ଉକ୍ତ କୋଚିଂ ସେଣ୍ଟର୍‍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଘଟିଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳର କେତେକ କୋଚିଂ ସେଣ୍ଟର୍‍ରେ ପ୍ରବେଶ କରିବା ଓ ବାହାରିବା ପାଇଁ ଗୋଟିଏ ଫାଟକ ରହିଥିବା ବେଳେ ଅଗ୍ନି ନିରାପତ୍ତା ଲାଇସେନ୍ସ ତ ଦୂରର କଥା ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ ଏକ ଅନୁସନ୍ଧାନରୁ ଜଣାପଡିଛି । ଏପରିକି ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ଏବଂ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ ନଥିବା ଚର୍ଚ୍ଚା ହେଉଛି । ଆସିିକା ଅଞ୍ଚଳର କେତେକ କୋଚିଂ ସେଣ୍ଟର୍‍ରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ଏବଂ ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଥିବା ସଂକ୍ରାନ୍ତରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ କେନ୍ଦ୍ର ଅଧିକାରୀ ଅଶୋକ କୁମାର ବାରିକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର କୋଚିଂ ସେଣ୍ଟର୍‍ ମାଲିକମାନଙ୍କୁ ସଚେତନ କରାଯାଇ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ସାଙ୍ଗକୁ ସମସ୍ତ କୋଚିଂ ସେଣ୍ଟର୍‍ ଯେପରି ଅଗ୍ନି ନିର୍ବାପକ ଯନ୍ତ୍ର ରଖିବେ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । ଆସିକା ଅଞ୍ଚଳରେ ଥିବା କେତେକ କୋଚିଂ ସେଣ୍ଟର୍‍ରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଆସୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସିକା ଅଞ୍ଚଳର କୋଚିଂ ସେଣ୍ଟର୍‍ଗୁଡିକରେ ଜରୁରୀ ପରିସ୍ଥିତିରେ ଘରୁ ବାହାରିବା ପାଇଁ ପ୍ରଶସ୍ତ ବାଟ ରଖିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା, ଓଡିଶା ଅଗ୍ନିପ୍ରତିରୋଧ ଏବଂ ଅଗ୍ନି ନିରାପତ୍ତା ନିୟମାବଳୀ-୨୦୧୭ ଓ ଅଗ୍ନି ନିରାପତ୍ତା (ସଂଶୋଧନ) ନିୟମାବଳୀ-୨୦୨୫କୁ ସଠିକ୍‍ ଭାବେ କାର୍ଯ୍ୟକାରୀ କରିବା, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିବା, ସଟ୍‍ ସର୍କିଟ୍‍କୁ ଏଡାଇବା ପାଇଁ ବୈଦ୍ୟୁତିକ ସରଞ୍ଜାମର ନିୟମିତ ରକ୍ଷଣାବେକ୍ଷଣ ଓ ଯାଞ୍ଚ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ