ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ
ଆସିକା (ୱାଇଏନ୍ଏସ୍) : ପ୍ରତ୍ୟେକ ବର୍ଷ ଜୁନ୍ ମାସ ୨୬ ତାରିଖରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ । ସମାଜକୁ ନିଶାମୁକ୍ତ କରିବା ଏବଂ ସୁସ୍ଥ ଓ ନିରାପଦ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଓ ନିଶାର କୁପ୍ରଭାବ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍ ମାସ ୨୬ ତାରିଖକୁ ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ରୂପେ ପାଳନ କରାଯାଇଆସୁଛି । ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ତଥା ଅଭିଜ୍ଞ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ନିଶା ସେବନ ବହୁ ରୋଗକୁ ଆମନ୍ତ୍ରଣ କରୁଥିଲା ବେଳେ ନିଶାଗ୍ରସ୍ତ ଲୋକେ ବିଭିନ୍ନ ସମୟରେ ନାନା ପ୍ରକାର ଦୂରାରୋଗ୍ୟ ରୋଗରେ ମଧ୍ୟ ଶିକାର ହୋଇଥାନ୍ତି ଏବଂ ନିଶାସେବନ ଦ୍ୱାରା ଶାରୀରିକ ଓ ମାନସିକ ଏବଂ ସାମାଜିକ କ୍ଷତି ଘଟିଥାଏ ଓ ନିଶାସେବନ ଦ୍ୱାରା ହୃଦଘାତ ଏବଂ କ୍ୟାନ୍ସର ରୋଗ ସମେତ ଅନ୍ୟାନ୍ୟ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ନିଶା ଠାରୁ ଦୂରେଇ ରହିବାକୁ ସଚେତନତାର ଆବଶ୍ୟକତା ଜରୁରୀ । ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ଅବସରରେ ନିଶା ଠାରୁ ଦୂରରେ ରହି ସୁସ୍ଥ ଜୀବନଯାପନ ପାଇଁ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


