ଆନ୍ତର୍ଜାତିକ ନିଶା ନିରୋଧ ଦିବସରେ ସଚେତନତା ସଭା
ବାଲେଶ୍ୱର,(ସରୋଜ ପଣ୍ଡା) : ଆନ୍ତର୍ଜାତିକ ନିଶା ନିରୋଧ ଦିବସ ଅବସରରେ ମିଳିତ ନିଶା ନିବାରଣ ଅଭିଯାନ ‘ମନା’ ପକ୍ଷରୁ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥିଭାବେ ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ତଥା ବିଶିଷ୍ଟ ଔପନ୍ୟାସିକ ଚିତ୍ତରଞ୍ଜନ ଚିରଞ୍ଜିତ୍ ଯୋଗଦେଇ କହିଥିଲେ ଯେ, ନିଶା ନିରୋଧ ପାଇଁ ଏକ ସଂକଳ୍ପ ୧୯୮୭ ମସିହାରେ ଜାତିସଂଘ ଦ୍ୱାରା ଗୃହୀତ ହେବାପରେ ବିଶ୍ୱବାସୀ ୧୯୮୯ ମସିହାଠାରୁ ଜୁନ୍ ୨୬ ତାରିଖକୁ ନିଶା ନିରୋଧ ଦିବସ ଭାବେ ପାଳନ କରିଆସୁଛନ୍ତି। କିନ୍ତୁ ବହୁ ସଚେତନତା ପରେ ବି ନିଶାର ବହୁଳ ପ୍ରସାର ହୋଇଥିବାବେଳେ ଆମ ଦେଶର ମାତ୍ର କେତୋଟି ରାଜ୍ୟରେ ରାଜ୍ୟ ସରକାର ନିଶା ବ୍ୟବସାୟକୁ ନିଷେଧ କରିଛନ୍ତି। ସରକାରଙ୍କ ରାଜସ୍ୱ ଆୟଠାରୁ ଏହି ନିଶା କବଳିତ ବ୍ୟକ୍ତିମାନେ ସମାଜରେ ବହୁ କ୍ଷତି ଘଟାଉଛନ୍ତି ବୋଲି ଶ୍ରୀ ଚିତ୍ତରଂଜନ ମତ ଦେଇଥିଲେ। ‘ମନା’ର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଉପଦେଷ୍ଟା ସୁବ୍ରତ କର, ଉପ ସଭାନେତ୍ରୀ ସୁଶ୍ରୀ ଅର୍ଚ୍ଚନା ନନ୍ଦି ଓ ସମ୍ମାନିତ ଅତିଥିଭାବେ ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ ନିଶାସେବନ ଓ ଏହାର ପ୍ରଭାବରେ ସମାଜରେ ଘଟୁଥିବା ବିଭିନ୍ନ ଦୁର୍ଘଟଣା ସଂପର୍କରେ ବକ୍ତବ୍ୟ ଦେଇ ନିଶାସେବନଠାରୁ ଆଜିର ଛାତ୍ରଛାତ୍ରୀ ଓ ଯୁବସମାଜ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଉପସଭାପତି ଡ. କ୍ଷିତୀଶ୍ୱର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ସୂଚନା ଦେଇଥିଲେ। ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର ୧୦ମ ଶ୍ରେଣୀ ଛାତ୍ରୀ ଗୀତାଞ୍ଜଳି ମହାପାତ୍ର ଓ ସଂଘମିତ୍ରା ମୁଦୁଲି ଏବଂ ୯ମ ଶ୍ରେଣୀର ଜ୍ୟୋତିଶ୍ରୀ ଜେନା ‘ମନା’ର ଏହି ସଚେତନତା କାର୍ଯ୍ୟକ୍ରମ ସେମାନଙ୍କୁ ନିଶା ବିରୋଧରେ ବହୁ ଶିକ୍ଷା ଦେଇଛି ବୋଲି କହିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ ଓ ଅତିଥିମାନେ ଶ୍ରୀଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଶେଷରେ ଗୀତାଞ୍ଜଳି ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସାଧାରଣ ସଂପାଦିକା ମମତା ମହାପାତ୍ର ସଭାରେ ଯୋଗଦେଇ ନପାରି ଶୁଭେଚ୍ଛାବାର୍ତ୍ତା ପଠାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ଦାସ, କଲ୍ୟାଣୀ ନନ୍ଦ, ଅକ୍ଷୟ କୁମାର ତ୍ରିପାଠୀ, ଲକ୍ଷ୍ମଣ ବିଶ୍ୱାଳ, ବସନ୍ତ ପ୍ରଧାନ, ରବିନାରାୟଣ ଭୋଳ, ଶ୍ୟାମସୁନ୍ଦର ଜେନା, ଦୟାନିଧି ମହାପାତ୍ର, ବ୍ୟଙ୍ଗକବି ପ୍ରଭାକର ସାହୁ, ବେଣୁଧର ସାହୁ, ରଜନୀକାନ୍ତ ବେହେରା ଓ ଯତୀନ୍ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।


